🔥 TRENDING ਨਵੰਬਰ ਮਹੀਨੇ ਸਕੂਲਾਂ 'ਚ ਛੁੱਟੀਆਂ ਹੀ ਛੁੱਟੀ... Congress Demands State Disaster Tag, A... Devastating Fire in Vasco da Gama, Goa... सुप्रीम कोर्ट ने झूठे हत्या मामले में... Nagaland Village on India-Myanmar Bord... Assam Rifles, CRPF DGs hold high-level...
29 Oct 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

ଡିଜିପି ଚୟନକୁ ନେଇ ପୁଣି ଆରମ୍ଭ ହେଲା ଡାର୍ଟି ଗେମ୍ , ଡିସେମ୍ବର ଯାଏଁ ସମୟ ଗଡ଼ାଇବାକୁ ଚାଲିଛି କି ଚକ୍ରାନ୍ତ?

✍️ Reporter: Deepak Mahapatra 🗓 29 Oct 2026, 01:07 PM 👁 11
Share: 💬 WhatsApp 📘 Facebook 𝕏 Post
ରାଜ୍ୟର ସ୍ଥାୟୀ ପୁଲିସ ମୁଖିଆ(ଡିଜିପି) ଚୟନ ମାମଲା ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଥିବାବେଳେ ପରବର୍ତ୍ତୀ ପୁଲିସ ଡିଜି କିଏ ହେବେ ତାକୁ ନେଇ ପାୱାର କରିଡ଼ରରେ ପୁଣିଥରେ ଛକାପଞ୍ଝା ଜୋରଦାର ହୋଇଛି। ବର୍ତ୍ତମାନର କାମଚଳା ଡିଜିପି ବିନୟତୋଷ ମିଶ୍ରଙ୍କ ଚାକିରି ନଭେମ୍ବର ୩୦ରେ ଶେଷ ହେଉଥିବାରୁ ତାଙ୍କ ସ୍ଥାନରେ ରେଗୁଲାର ଡିଜିପିଙ୍କୁ ନିଯୁକ୍ତି ମିଳିବ ନା ପୁଣିଥରେ ଆଉ କାହାକୁ ଅନ୍ତରୀଣ ଡିଜିପି ଭାବେ ଅବସ୍ଥାପିତ କରାଯିବ ତାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ବିନୟତୋଷଙ୍କ କାର୍ଯ୍ୟକାଳକୁ ଆଉ ୩ମାସ ବଢ଼ାଇବାକୁ ଯୋଜନା ଚାଲିଥିବା ଚର୍ଚ୍ଚା ହେଉଛି।
ସୂଚନା ଅନୁସାରେ, ରାଜ୍ୟର କାମଚଳା ଡିଜିପି ବିନୟତୋଷ ମିଶ୍ରଙ୍କ ଚାକିରି କାର୍ଯ୍ୟକାଳ ଆସନ୍ତା ନଭେମ୍ବର ୩୦ ତାରିଖରେ ଶେଷ ହେଉଛି। ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ମାମଲାର ଶୁଣାଣି ସେପ୍ଟେମ୍ବର ୨୯ତାରିଖରେ ଶେଷ ହୋଇଥିଲେ ମଧ୍ୟ ରାୟ ପ୍ରକାଶରେ ବିଳମ୍ବର ସୁଯୋଗ ନେଇ ଶ୍ରୀ ମିଶ୍ରଙ୍କ କାର୍ଯ୍ୟକାଳକୁ ବଢ଼ାଇବାକୁ କସରତ ଚାଲିଥିବା ନିର୍ଭରଯୋଗ୍ୟ ଜଣାପଡ଼ିଛି। ରାଜ୍ୟରେ ସ୍ଥାୟୀ ଡିଜିପି ଚୟନ ପ୍ରକ୍ରିୟାକୁ ଶେଷ ମୁହୂର୍ତ୍ତରେ ଆଇନଗତ ଅନିଶ୍ଚିତତାକୁ ଠେଲି ଦେଇଥିବା ଗୋଷ୍ଠୀ ଏବେ ପୁଣିଥରେ ସକ୍ରିୟ ହୋଇ ଏହି ସମଗ୍ର ପ୍ରକ୍ରିୟାକୁ ଯେନତେନ ପ୍ରକାରେ ଡିସେମ୍ବର ମାସ ପର୍ଯ୍ୟନ୍ତ ଗଡ଼ାଇ ଦେବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି ।
ସୂତ୍ର ଅନୁସାରେ, ରାଜ୍ୟରେ ପୁଲିସ ଡିଜିପି ପଦବୀ ପାଇଁ ବରିଷ୍ଠତା ଭିତ୍ତିରେ ରେସରେ ଥିବା ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ ନାଥ ଓ ଆରପି କୋଚେଙ୍କୁ ବାଦ୍ ଦେଇ ୧୯୯୪ ବ୍ୟାଚ୍ ଆଇପିଏସ୍ ସଞ୍ଜିବ ପଣ୍ଡାଙ୍କୁ ସ୍ଥାୟୀ ଡିଜିପି କରିବା ନିମନ୍ତେ ପୁଣିଥରେ କସରତ ଆରମ୍ଭ ହୋଇଛି। ଗତ ଅଗଷ୍ଟ ୭ତାରିଖରେ ରାଜ୍ୟ ସରକାର ଅଚାନକ ୟୁପିଏସସିଙ୍କୁ ଚିଠି ଲେଖି ବରିଷ୍ଠ ଆଇପିଏସ୍ ସୁଶାନ୍ତ ନାଥଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟକୁ ପ୍ରତ୍ୟାହାର କରିନେଇ ଡିଜିପି ଚୟନ ପ୍ରକ୍ରିୟାକୁ ଅନିଶ୍ଚତତା ମଧ୍ୟକୁ ଠେଲି ଦେଇଥିଲେ। ଅଗଷ୍ଟ ୧୬ତାରିଖରେ ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ ସରିବା ପରେ ପ୍ରଥମଥର ପାଇଁ ଓଡ଼ିଶା ଡିଜିପି ଚୟନ ମାମଲା ସୁପ୍ରିମକୋର୍ଟ ପହଂଚିଛି।
ଆଉ ସୁପ୍ରିମକୋର୍ଟଙ୍କ ରାୟ ଆସିବାରେ ବିଳମ୍ବ ଯୋଗୁ ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ବିନୟତୋଷ ମିଶ୍ରଙ୍କୁ କାମଚଳା ଡିଜିପି ଭାବେ ନିଯୁକ୍ତି ଦେଇଛନ୍ତି। ତାଙ୍କର କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହେଉଥିଲେ ମଧ୍ୟ ତାଙ୍କୁ ୩ମାସ ଏକ୍ସଟେନସନ ଦେଇ ସୁଶାନ୍ତ ନାଥଙ୍କୁ ପୁଲିସ ଡିଜିପି ରେସରୁ ବାଦ୍ ଦେବା ଓ ସଞ୍ଜିବ ପଣ୍ଡାଙ୍କ ଏଣ୍ଟ୍ରିକୁ ସହଜ କରିବା ପାଇଁ ପ୍ରୟାସ ଚାଲିଛି। ନିୟମ ଅନୁସାରେ ଚାକିରିରୁ ଅବସର ନେବା ୬ମାସରୁ କମ୍ ଥିଲେ ସମ୍ପୃକ୍ତ ଅଫିସରଙ୍କ ନାଁ ଡିଜିପି ଚୟନ ପ୍ରକ୍ରିୟାରେ ସାମିଲ ହୋଇପାରିବନାହିଁ। ୨୦୨୭ ଜୁନ୍ ୩୦ରେ ସୁଶାନ୍ତଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ଏଭଳି କରି ନିଜର ଖାସ୍ ସଞ୍ଜିବ ପଣ୍ଡାଙ୍କୁ ୟୁପିଏସସିର ୩ଜଣିଆ ଅନ୍ତିମ ପ୍ୟାନେଲରେ ସାମିଲ କରିବା ସହଜ ହୋଇଯିବ ଓ ତାଙ୍କୁ ଡିଜିପି ଆସନରେ ବସାଇବାର ମାର୍ଗ ମଧ୍ୟ ପ୍ରଶସ୍ତ ହୋଇପାରିବ ବୋଲି ଚର୍ଚ୍ଚା ହେଉଛି। ଆଉ ଯଦି ଏହା ହୁଏ ତା’ର ଦୂରଗାମୀ ସାଇଡଇଫେକ୍ଟ ମଧ୍ୟ ଅନ୍ୟ ବରିଷ୍ଠ ଆଇପିଏସମାନଙ୍କ ଉପରେ ପଡ଼ିବାର ସମ୍ଭାବନା ରହିଛି।
ଆଉ ଏପଟେ ସ୍ଥାୟୀ ଡିଜିପି ଚୟନକୁ ନେଇ ଚାଲିଥିବା ଛକାପଞ୍ଝାର ପ୍ରଭାବ ମଧ୍ୟ ପୁଲିସ ଫୋର୍ସ ଉପରେ ପଡ଼ିବାରେ ଲାଗିଛି। ସରକାର ଓ ପୁଲିସ ବାହିନୀ ମଧ୍ୟରେ ମୁଖ୍ୟ ସମନ୍ୱୟକାରୀ ତଥା ସଚିବାଳୟ ନିରାପତ୍ତା ବ୍ୟବସ୍ଥାର ତଦାରଖ କରୁଥିବା ଗୃହ ବିଭାଗର ‘ସ୍ୱତନ୍ତ୍ର ସଚିବ’ ପଦବୀ ପ୍ରାୟ ମାସେ ହେଲା ଖାଲି ପଡ଼ିଛି। ବରିଷ୍ଠ ଆଇପିଏସ ଆରକେ ଶର୍ମା ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ପଦରୁ ସେପ୍ଟେମ୍ବର ୩୦ରୁ ଅବସର ନେଇସାରିଥିଲେ ମଧ୍ୟ ସରକାର ସେଠାରେ ଏପର୍ଯ୍ୟନ୍ତ କାହାରିକୁ ନିଯୁକ୍ତି ଦେଇନାହାନ୍ତି। ସୂତ୍ର ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଉପଦେଷ୍ଟା ପ୍ରକାଶ ମିଶ୍ର ନିଜର ଖାସ୍ ଅନୁଗତ ବରିଷ୍ଠ ଆଇପିଏସ୍ ରାଜେଶ କୁମାରଙ୍କୁ ‘ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ’ ପଦବୀରେ ଅବସ୍ଥାପିତ କରିବାକୁ ପ୍ରୟାସ କରୁଥିବା ଚର୍ଚ୍ଚା ହେଉଛି।
ଏସବୁ ମଧ୍ୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଏବେ ପଦାକୁ ଆସିଛି। ଅବସରପ୍ରାପ୍ତ ପୁଲିସ ଡିଜି ୱାଇବି ଖୁରାନିଆ, ସ୍ୱତନ୍ତ୍ର ସଚିବ ଆରକେ.ଶର୍ମା ଓ ବର୍ତ୍ତମାନର ପୁଲିସ ଡିଜି ବିନୟତୋଷ ମିଶ୍ର ନିଜର ଚାକିରି କାଳ ଶେଷ ହେବାପରେ ରାଜ୍ୟ ପ୍ରଶାସନରେ ପୁଣିଥରେ ଥଇଥାନ ହେବା ପାଇଁ ଲବି କରୁଥିବା ଜଣାପଡ଼ିଛି। ଏନେଇ ବିଧିବଦ୍ଧ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି ଓ ଏହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅନୁମୋଦନ ଅପେକ୍ଷାରେ ରହିଥିବା ମଧ୍ୟ ଚର୍ଚ୍ଚା ହେଉଛି। ସମ୍ପୃକ୍ତ ୩ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କୁ ଲୋକାୟୁକ୍ତ ଅବା ମାନବାଧିକାର ଆୟୋଗରେ ଥଇଥାନ କରିବାକୁ ଏହି ପ୍ରଭାବଶାଳୀ ଗୋଷ୍ଠୀ ପକ୍ଷରୁ ଆଶ୍ୱାସନା ଦିଆଯାଇଥିବା ମଧ୍ୟ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି।
ଗୋଟିଏପଟେ ବିଭିନ୍ନ ଟେଣ୍ଡର ବିବାଦକୁ ନେଇ କାମଚଳା ଡିଜିପି ଶ୍ରୀ ମିଶ୍ର ଚର୍ଚ୍ଚାରେ ରହିଥିବାବେଳେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ କେନ୍ଦ୍ର ସରକାର ରିପୋର୍ଟ ତଲବ କରିଛନ୍ତି। ଆଉ ଏପଟେ ଡିଜିପି ଶ୍ରୀ ମିଶ୍ର ଅବସର ପରେ ନିଜ କୁର୍ସି ବଂଚାଇ ରଖିବା ପାଇଁ ପୁଲିସ ମୁଖ୍ୟାଳୟ ପରିବର୍ତ୍ତେ ଲୋକସେବା ଭବନରେ ଅଧିକ ଉପସ୍ଥିତି ଜାହିର ମାଧ୍ୟମରେ ଜୋରଦାର କସରତ ଜାରି ରଖିଥିବା ଚର୍ଚ୍ଚା ହେଉଛି। ଏହି ପ୍ରଭାବଶାଳୀ ଗୋଷ୍ଠୀର ମହତ୍ୱାକାଂକ୍ଷା ଓ ନିୟମକାନୁନକୁ ବାଟବଣା କରିବାର ଅପଚେଷ୍ଟା ଯୋଗୁ ଏବେ ପୁଲିସ ଫୋର୍ସର ମନୋବଳ ହ୍ରାସ ପାଇବାରେ ଲାଗିଛି।
ତେବେ ରାଜ୍ୟ ପ୍ରଶାସନ ଏବେ ନିୟମ ଅନୁସାରେ ପରିଚାଳିତ ହେବ ନା ପରଦା ପଛର ଥିବା ଏହି ଅଦୃଶ୍ୟ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ଇଙ୍ଗିତରେ ସମଗ୍ର ଫୋର୍ସ(Odisha Police)ର ମନୋବଳ ଓ ସୁରକ୍ଷା ବ୍ୟବସ୍ଥାକୁ ବାଜିରେ ଲଗାଇ ଦିଆଯିବ ତାହା ସୁପ୍ରିମକୋର୍ଟଙ୍କ ଆସନ୍ନ ରାୟ ଓ ନଭେମ୍ବର ୩୦ତାରିଖର ଡେଡଲାଇନ ପରେ ହିଁ ସ୍ପଷ୍ଟ ହେବ ବୋଲି ଚର୍ଚ୍ଚା ହେଉଛି।
📲Get App