🔥 TRENDING Indrani Releases New EP 'Even If You B... Tribal Musicians Face Exploitation in... FDA News: Tiger Shroff's Film Set Unde... ભારત-ન્યૂઝીલેન્ડ ટી-20 મેચમાં ઓનલાઈન સ... Two Soybean Fodder Trucks Seized in Na... Maharashtra NEET PG Counselling Regist...
23 Oct 2026•
ગુજરાતી मराठी ਪੰਜਾਬੀ বাংলা
Local

ସୁବର୍ଣ୍ଣରେଖାରେ ଭାସିଗଲେ ଦୁଇ ଭାଇ: ଅଚେତ ଅବସ୍ଥାରେ ମିଳିଲେ ଜଣେ, ଆଉ ଜଣଙ୍କ ପତ୍ତା ମିଳୁନି

✍️ Reporter: Deepak Mahapatra 🗓 23 Oct 2026, 12:57 PM 👁 16
Share: 💬 WhatsApp 📘 Facebook 𝕏 Post
ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ମାନପୁର ଗାଁ ନିକଟ ସୁବର୍ଣ୍ଣରେଖା ନଦୀ ଘାଟରେ ଘଟିଛି ବଡ଼ ଅଘଟଣ। ନଦୀରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଭାଇ। ତେବେ କିଛି ସମୟରେ ଭାସି ଯାଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ଯୁବକଙ୍କୁ ସଂଜ୍ଞାହୀନ ଅବସ୍ଥାରେ କରାଯାଇଛି ଉଦ୍ଧାର।
କିନ୍ତୁ ଏବେ ବି ଭାସି ଯାଉଥିବା ଆଉ ଜଣେ ଯୁବକଙ୍କର କୌଣସି ଖୋଜ ଖବର ମିଳିନାହିଁ। ତାଙ୍କୁ ଠାବ କରିବା ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି। ତଥାପି ଏଯାଏ କୌଣସି ପ୍ରକାରର ସୁଫଳ ମିଳିନାହିଁ।
ସୂଚନା ଅନୁସାରେ,ବାଲିଆପାଳ ବ୍ଲକ ମାନପୁର ଗାଁ ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀରେ ଆଜି ଗାଧୋଇବାକୁ ଯାଇଥିଲେ ତଳଧାନନ୍ଦା ଗାଁର ମଧୁସୂଦନ ଗିରିଙ୍କ ଦୁଇ ପୁଅ ରମୟା ରଞ୍ଜନ ଗିରି ଓ ସୌମ୍ୟ ରଞ୍ଜନ ଗିରି। ଏମାନଙ୍କ ଘର ତଳଧାନନ୍ଦାରେ ହୋଇଥିବା ବେଳେ ଦୁର୍ଗା ପୂଜା ଛୁଟିରେ ମାନପୁର ସ୍ଥିତ ମାମୁ ଘରକୁ ଆସିଥିଲା। ମାମୁ ଘରକୁ ବୁଲିବାକୁ ଆସିଥିବା ଦୁଇ ଭାଇ ଆଜି ସବୁର୍ଣ୍ଣରେଖା ନଦୀ ଘାଟରେ ଗାଧୋଇବାକୁ ଯାଉଥିଲେ। ଦୁଇ ଭାଇ ସେଠାରେ ଗାଧୋଉଥିବା ବେଳେ ହଠାତ୍‌ ଘଟିଥିଲା ଅଘଟଣ।
ପାଣିର ପ୍ରଖର ସ୍ରୋତରେ ହଠାତ୍‌ ଭାସି ଯାଇଥିଲେ ଦୁଇ ଭାଇ। ଏହା ଜଣାପଡ଼ିବା ମାତ୍ରେ ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ। ସେହିପରି ଅଗ୍ନିଶମ ବାହିନୀକୁ ମଧ୍ୟ ଖବର ଦିଆଯାଇଥିଲା।
କିଛି ସମୟରେ ଖୋଜାଖୋଜି ପରେ ଭାସି ଯାଇଥିବା ଦୁଇ ଭାଇଙ୍କ ମଧ୍ୟରୁ ଜଣଙ୍କୁ ନଦୀ ଭିତରୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇଛି। ହେଲେ ଅନ୍ୟ ଜଣଙ୍କର ଏପର୍ଯ୍ୟନ୍ତ କୌଣସି ଖୋଜଖବର ମିଳିନାହିଁ।
ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ନଦୀରେ ଖୋଜାଖୋଜି ଜାରି ରହିଛି। ସେମାନେ ଦୀର୍ଘ ସମୟ ହେଲା ଖୋଜାଖୋଜି କରୁଥିଲେ ହେଁ ବର୍ତ୍ତମାନ ସୁଦ୍ଧା ନିଖୋଜ ଯୁବକଙ୍କ ପତ୍ତା ମିଳିନାହିଁ। ନଦୀ କୂଳରେ ଏବେ ବି ନିଖୋଜ ଯୁବକଙ୍କ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀଙ୍କ ଭିଡ଼ ଜମିଛି।
📲Get App