🔥 TRENDING Gujarat Government Bars Outsiders from... EPFO Board to Discuss Raising Minimum... જામનગર ખોડીયાર કોલોનીમાં સાત રસ્તાઓ પર... New Platform Cover Sheds Inaugurated a... Karnataka MLC Elections Kick Off: Cong... Bengaluru hits magnitude 3 earthquake;...
23 Oct 2026•
ગુજરાતી मराठी ਪੰਜਾਬੀ বাংলা
Business

କେବଳ ନିବେଶ ଆଗ୍ରହ ନୁହେଁ, ଓଡ଼ିଶା ଆସି ବାସ୍ତବ ଉତ୍ପାଦନ ଆରମ୍ଭ କରନ୍ତୁ: ବିଶ୍ୱ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

✍️ Reporter: Deepak Mahapatra 🗓 23 Oct 2026, 01:15 PM 👁 17
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ମୁମ୍ବାଇଠାରେ ଆୟୋଜିତ 'ଇଣ୍ଡିଆ କେମ୍ ୨୦୨୬' (India Chem 2026)ର ସିଇଓ ଗୋଲଟେବୁଲ ବୈଠକରେ ଓଡ଼ିଶା ସରକାର ରାଜ୍ୟର ରସାୟନ ଏବଂ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଥିବା ବିପୁଳ ନିବେଶ ସୁଯୋଗକୁ ବିଶ୍ୱ ସମୁଖରେ ଉପସ୍ଥାପନ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ତଥା ରସାୟନ ଓ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗୋଲଟେବୁଲ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ବିଶ୍ୱର ପ୍ରମୁଖ ଶିଳ୍ପପତିମାନଙ୍କୁ ଓଡ଼ିଶାରେ ଉତ୍ପାଦନ ୟୁନିଟ୍ ସ୍ଥାପନ ଏବଂ ଡାଉନଷ୍ଟ୍ରିମ୍ ଶିଳ୍ପର ପ୍ରସାର ପାଇଁ ଆମନ୍ତ୍ରଣ କରିଛନ୍ତି ।
ବୈଠକର ଅଧ୍ୟକ୍ଷତା କରି କେନ୍ଦ୍ର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି ଯେ, ୨୦୪୭ ସୁଦ୍ଧା ଭାରତକୁ 'ବିକଶିତ ଭାରତ' ଏବଂ 'ଆତ୍ମନିର୍ଭର ଭାରତ'ରେ ପରିଣତ କରିବାରେ ରସାୟନ ଓ ପେଟ୍ରୋକେମିକାଲ୍ସ କ୍ଷେତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୨୦୪୦ ସୁଦ୍ଧା ଭାରତୀୟ ରସାୟନ କ୍ଷେତ୍ରକୁ ୧ ଟ୍ରିଲିଅନ୍ ଡଲାରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ଦେଶ ମଧ୍ୟରେ ଉତ୍ପାଦନ ବୃଦ୍ଧି, ନିବେଶ ପରିବେଶକୁ ସୁଦୃଢ଼ କରିବା ଏବଂ ବିଶ୍ୱସ୍ତରୀୟ ଯୋଗାଣ ଶୃଙ୍ଖଳାରେ ଭାରତର ଭାଗିଦାରୀ ବଢ଼ାଇବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଓଡ଼ିଶା ଭଳି ରାଜ୍ୟଗୁଡ଼ିକ ନିଜର ଭିତ୍ତିଭୂମି ଓ ସମ୍ବଳର ବ୍ୟବହାର କରି ବିଶ୍ୱ ନିବେଶକଙ୍କୁ ଆକୃଷ୍ଟ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ବୋଲି ସେ ପ୍ରଶଂସା କରିଥିଲେ।
ଉଦଘାଟନୀ ସେସନ୍ ପରେ ଗୋଲଟେବୁଲ ବୈଠକକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାକୁ ଏକ ଖଣିଜ-ଭିତ୍ତିକ ଅର୍ଥନୀତିରୁ ରସାୟନ-ଭିତ୍ତିକ ଶିଳ୍ପ ଅର୍ଥନୀତିରେ ରୂପାନ୍ତରିତ କରିବାର ସଂକଳ୍ପ ପ୍ରକାଶ କରିଛନ୍ତି । ରାଜ୍ୟର ବିଶାଳ ସମୁଦ୍ର ଉପକୂଳ, ଉତ୍କୃଷ୍ଟ ବନ୍ଦର ସଂଯୋଗୀକରଣ, ବିଶାଳ ରିଫାଇନାରୀ ଭିତ୍ତିଭୂମି, କଞ୍ଚାମାଲର ସୁଲଭତା, ନିରବଚ୍ଛିନ୍ନ ବିଦ୍ୟୁତ୍ ଓ ଜଳ ଯୋଗାଣ ଏବଂ ପଡ଼ୋଶୀ ମାର୍କେଟ୍ ସହ ସଂଯୋଗୀକରଣ ନିବେଶକମାନଙ୍କ ପାଇଁ ଶ୍ରେଷ୍ଠ ଅନୁକୂଳ ପରିବେଶ ସୃଷ୍ଟି କରିଛି ବୋଲି ସେ ଆଲୋକପାତ କରିଛନ୍ତି।
ନିବେଶକଙ୍କୁ ଆଶ୍ୱାସନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ସରକାର କେବଳ ଶିଳ୍ପ ପ୍ରତିଷ୍ଠା ପାଇଁ ଆମନ୍ତ୍ରଣ କରୁନାହାନ୍ତି, ବରଂ ନିବେଶର ସମ୍ପୂର୍ଣ୍ଣ କାଳଖଣ୍ଡରେ ନିବେଶକମାନଙ୍କ ପ୍ରକୃତ ସହଯୋଗୀ ଭାବେ କାର୍ଯ୍ୟ କରିବେ। ଜମି ଚିହ୍ନଟ, ଭିତ୍ତିଭୂମି ଯୋଜନା, ଆବଶ୍ୟକୀୟ ସରକାରୀ ମଞ୍ଜୁରୀଠାରୁ ଆରମ୍ଭ କରି ପ୍ରକଳ୍ପର କାର୍ଯ୍ୟକାରିତା ଏବଂ ବାଣିଜ୍ୟିକ ଉତ୍ପାଦନ ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟରେ ରାଜ୍ୟ ସରକାର ସମସ୍ତ ପ୍ରକାର ଆନୁଷଙ୍ଗିକ ସହାୟତା ଯୋଗାଇ ଦେବେ।
ରାଜ୍ୟରେ ଶିଳ୍ପ ନିବେଶ କ୍ଷେତ୍ର ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ, ବନ୍ଦର-ଭିତ୍ତିକ ଶିଳ୍ପ ପାଇଁ ପାରାଦୀପ, ଧାମରା ଓ ଗୋପାଳପୁର ଅତ୍ୟନ୍ତ ଉପଯୁକ୍ତ ହୋଇଥିବା ବେଳେ ଧାତୁ, କୋଇଲା, ଶକ୍ତି ଏବଂ ଆଭ୍ୟନ୍ତରୀଣ ବଜାର ଚାହିଦାକୁ ନଜରରେ ରଖି ଅନୁଗୋଳ ଓ ଢେଙ୍କାନାଳରେ ପ୍ରକଳ୍ପ ସ୍ଥାପନର ପ୍ରଚୁର ସୁଯୋଗ ରହିଛି। ଏହାସହ ପାରାଦୀପ PCPIR, ଇଣ୍ଡିଆନ୍ ଅଏଲ୍ର ୧୫ MMTPA ରିଫାଇନାରୀ ଏବଂ ପ୍ଲାଷ୍ଟିକ୍ ପାର୍କ ପଲିମର, ପ୍ୟାକେଜିଂ, ଟେକ୍ସଟାଇଲ୍ସ ଓ ଅନ୍ୟାନ୍ୟ ଡାଉନ୍ଷ୍ଟ୍ରିମ୍ ଉତ୍ପାଦନ ପାଇଁ ଏକ ମଜବୁତ୍ ଆଧାର ପ୍ରଦାନ କରୁଛି। ନିବେଶକମାନେ କୋଇଲାରୁ ରସାୟନ (Coal-to-chemicals), ସ୍ପେଶାଲଟି କେମିକାଲ୍ସ, ଫ୍ଲୋରୋକେମିକାଲ୍ସ, ବ୍ୟାଟେରୀ ମ୍ୟାଟେରିଆଲ୍ସ, ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିଆ ଭଳି ଭବିଷ୍ୟତ-ପ୍ରଯୁକ୍ତି ଭିତ୍ତିକ କ୍ଷେତ୍ରଗୁଡ଼ିକରେ ନିବେଶ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି।
ପରିବେଶ ଓ ସୁରକ୍ଷା ମାନଦଣ୍ଡ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଦୋହରାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ସରକାର ସ୍ୱଚ୍ଛତା, ସୁରକ୍ଷା ଏବଂ ଦାୟିତ୍ୱବାନ୍ ପରିବେଶ ପରିଚାଳନାକୁ କଡ଼ାକଡ଼ି ଭାବେ ପାଳନ କରିବା ସହ 'ରେଡ୍-କାଟେଗୋରୀ' ଶିଳ୍ପଗୁଡ଼ିକୁ ସ୍ୱାଗତ କରିବା ପାଇଁ 'ରେଡ୍ କାର୍ପେଟ୍' ବିଛାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସିଙ୍ଗଲ୍ ୱିଣ୍ଡୋ ପ୍ରଣାଳୀ ଏବଂ ଗୋପାଳପୁର ଭଳି ପ୍ରାକ୍-ଅନୁମୋଦିତ ପରିବେଶ ମଞ୍ଜୁରୀପ୍ରାପ୍ତ ସ୍ଥାନଗୁଡ଼ିକ ମାଧ୍ୟମରେ ପ୍ରକଳ୍ପ ସମ୍ପାଦନ ସମୟ କମାଇବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି।
ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କୁ ଓଡ଼ିଶା ସରକାରଙ୍କ ଶିଳ୍ପ ସମ୍ପ୍ରସାରଣ ଟିମ୍ (Team Odisha) ଏବଂ IPICOL ସହ ଯୋଗାଯୋଗ କରି ନିଜର ଆବଶ୍ୟକତା ଜଣାଇବାକୁ କହିଛନ୍ତି। କେବଳ ନିବେଶ ଆଗ୍ରହରେ ସୀମିତ ନରହି, ଓଡ଼ିଶା ଆସି ପ୍ରକଳ୍ପ କାର୍ଯ୍ୟକାରୀ କରିବା ସହ ବାସ୍ତବ ଉତ୍ପାଦନ ଆରମ୍ଭ କରିବାକୁ ସେ ବିଶ୍ୱ ଶିଳ୍ପପତିମାନଙ୍କୁ ଆନ୍ତରିକ ନିମନ୍ତ୍ରଣ ଜଣାଇଛନ୍ତି।
ଏହି ବୈଠକରେ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଗଣ, ଓଡ଼ିଶା ସରକାରଙ୍କ ଶିଳ୍ପ, ଗୃହ ଓ ସୂଚନା ଏବଂ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, IPICOLର ପ୍ରବନ୍ଧ ନିର୍ଦ୍ଦେଶିକା ଆବୋଲୀ ସୁନୀଲ ନାରାଭାଣେଙ୍କ ସମେତ ଦେଶ ବିଦେଶର ବହୁ ମାନ୍ୟଗଣ୍ୟ ଶିଳ୍ପପତି, ସିଇଓ, ବାଣିଜ୍ୟିକ ପ୍ରତିନିଧି ଏବଂ ସରକାରୀ ଉଚ୍ଚାଧିକାରୀମାନେ ଉପସ୍ଥିତ ଥିଲେ।
📲Get App