🔥 TRENDING One Week Left to Apply for 860 Prison... અમરથોળ ગામમાં સ્વચ્છતા જાળવીને નવરાત્ર... Railway Department Announces Recruitme... 4 Dead, 14 Injured in Mysuru Bus-Lorry... Minister Aman Arora defeats Charnjeet... Delhi CM Rekha Gupta Distributes Bicyc...
16 Oct 2026•
ગુજરાતી मराठी ਪੰਜਾਬੀ বাংলা
ବାଣୀବିହାରରେ ଭୋଟ୍ ପୋଛି ନେଲା ଏବିଭିପି, ରମାଦେବୀରେ ଗଡ଼ ବଜାୟ ରଖିଲା ବିସିଜେଡି
Education

ବାଣୀବିହାରରେ ଭୋଟ୍ ପୋଛି ନେଲା ଏବିଭିପି, ରମାଦେବୀରେ ଗଡ଼ ବଜାୟ ରଖିଲା ବିସିଜେଡି

✍️ Reporter: Deepak Mahapatra 🗓 16 Oct 2026, 01:52 PM 👁 14
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ସାଧାରଣ ନିର୍ବାଚନଠାରୁ ବଳି ଯାଇଛି ଛାତ୍ର ସଂସଦ ନିର୍ବାଚନ । ବିଶେଷକରି ରାଜ୍ୟର ଦୁଇ ପ୍ରମୁଖ ବିଶ୍ୱ ବିଦ୍ୟାଳୟ ଉତ୍କଳ ଏବଂ ରମାଦେବୀରେ ରାତି ଅଧ ଯାଏ ହାଇ ଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଛି । ଶେଷରେ ଅନେକ ତୁମ୍ବି ତୋଫାନରେ ପରେ ବିଳମ୍ବିତ ରାତିରେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟରେ ସଭାପତି ସହିତ ୯ ଜଣ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । ସେହିପରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ପୁଣି ଥରେ ବିଜୁ ଛାତ୍ର ଜନତା ଦଳ ନିଜର ବିଜୟ ପତାକା ଉଡ଼ାଇଛି । ବିସିଜେଡ଼ି ସମର୍ଥିତ ସଭାପତି ପ୍ରାର୍ଥୀ ସୋନାଲୀ ବେହେରା ବିଜୟନୀ ହୋଇଛନ୍ତି ।
ବାଣୀବିହାରରେ ଏବିଭିପି ପ୍ରାର୍ଥୀ ଅଭିରାମ ମିଶ୍ର ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ଛାତ୍ର କଂଗ୍ରେସର ଉପସଭାପତି ପ୍ରାର୍ଥୀ ପପୁ ରାଉତ, ସାଧାରଣ ସମ୍ପାଦକ ଭାବେ ଏବିଭିପିର ଆୟୁଶ୍ରୀ ପ୍ରଧାନ, ଯୁଗ୍ମ ସାଧାରଣ ସମ୍ପାଦକ ବିସିଜେଡିର ଭାବେ ଜ୍ୟୋତିଶ୍ରୀ ସାହୁ, କଲଚରାଲ୍ କ୍ଲବ୍ ସମ୍ପାଦକ ଭାବେ ଉତ୍ତମ କୁମାର ମାଝୀ ନିର୍ବାଚିତ ହୋଇଛନ୍ତି । ଏହା ସହିତ ଜୀବନଜ୍ୟୋତି ବିଶ୍ଵାଳ ବାଣୀବିକାଶର ସମ୍ପାଦକ ନିର୍ବାଚିତ ହୋଇଛନ୍ତି। ବିଶ୍ୱବିଦ୍ୟାଳୟର ଆଥଲେଟିକ୍ କ୍ଲବ୍ ସମ୍ପାଦକ ଭାବେ ଏବିଭିପିର ଜ୍ଞାନରଞ୍ଜନ ପରିଡ଼ା ଏବଂ ସହକାରୀ ସମ୍ପାଦକ ଭାବେ ସୁସ୍ମିତା ସାହୁ ନିର୍ବାଚିତ ହୋଇଛନ୍ତି।
ମାତ୍ର କେଇଟା ଭୋଟ୍ ପାଇଁ କାହିଁକି ବିଳମ୍ବ ହେଲା ବୋଲି ପ୍ରଶ୍ନ ଉଠିଥିଲା । କିଛି ଛାତ୍ର ନେତାମାନେ ବାଣୀ ବିହାର ସମ୍ମୁଖ ଗେଟ୍ ସାମ୍ନାରେ ଚକା ଜାମ୍ କରିଥିଲେ । ଏପରିକି ସିପି ଏବଂ ଡିସିପି ନିଜେ ପହଁଚି ସେମାନଙ୍କୁ ବୁଝାସୁଝା କରିଥିଲେ ।
ସେପଟେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଦିନ ତମାମ ଉତ୍ତେଜନା ଦେଖା ଦେଇଥିଲା । ବିସିଜେଡ଼ିର ଅଧିକାଂଶ ପ୍ରାର୍ଥୀମାନେ ବିଜୟଲାଭ କରିଛନ୍ତି । ବିସିଜେଡି ସମର୍ଥିତ ପ୍ରାର୍ଥୀ ସୋନାଲି ବେହେରା ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ଉପସଭାପତି ଭାବେ ସାଇ ଅର୍ପିତା ମହାପାତ୍ର, ଲକ୍ଷ୍ମୀପ୍ରିୟା ବିଶ୍ଵାଳ ସାଧାରଣ ସମ୍ପାଦକ, ସୁଦେଷ୍ଣା ଖୁଣ୍ଟିଆ ଯୁଗ୍ମ ସାଧାରଣ ସମ୍ପାଦକ, ଅଙ୍କିତା ମଲ୍ଲିକ କ୍ରୀଡ଼ା ସମ୍ପାଦକ, ରୂପାଲି ପାଣି ନାଟ୍ୟ ସମ୍ପାଦକ, ପ୍ରୀତିସ୍ମିତା ବାରିକ ସାଇନ୍ସ ସୋସାଇଟି ସମ୍ପାଦକ, ସମୀକ୍ଷା ସୁମନ ଡିଏସଏ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ।
ପ୍ରଥମେ ମତଦାନ ବେଳେ ଅନେକ ତୁମ୍ବି ତୋଫାନ ହୋଇଥିଲା । ବିଜୁ ଛାତ୍ର ଦଳର ରାଜ୍ୟ ସଭାନେତ୍ରୀ ଇପସିତା ସାହୁଙ୍କୁ ପୋଲିସ ଉଠାଇ ନେଇଥିଲା । ଏହାରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ରାତି ଅଧ ଯାଏଁ ଭୋଟ୍ ଗଣତି ଚାଲିଥିବାରୁ ରମାଦେବୀ ଭିତର ପରିସର ଅପେକ୍ଷା ବାହାରେ ଅଧିକ ଭିଡ଼ ଜମିବା ଆରମ୍ଭ ହୋଇଥିଲା । ଧିରେ ଧିରେ ଉଭୟ ଦଳର ରାଜନେତା ମାନେ ମଧ୍ୟ ଭିଡ଼ ଜମାଇଥିଲେ । ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବିଏମସି ମେୟର ସୁଲୋଚନା ଦାସ । ଏପରିକି ବୋମା ମାଡ଼ରେ ଥରି ଉଠିଥିଲା କ୍ୟାମ୍ପସ୍ । ପୋଲିସ ସ୍ଥିତି ନିୟନ୍ତ୍ରଣ କରିବାକୁ ନାକେଦମ ହୋଇଯାଇଥିଲା ।
ପ୍ରଥମେ ବିସିଜେଡ଼ି ବିଜୟୀ ଲାଭ କରିଥିବା ଦାବି କରିଥିଲା । କିନ୍ତୁ ଆନୁଷ୍ଠାନିକ ଫଳାଫଳ ବାହାରିନଥିଲା । ସେପଟେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ମଧୁସ୍ମିତା ପତି ଭିଡିଓ ଜାରି କରି ସୂଚନା ଦେଇଥିଲେ ଭୋଟ୍ ଗଣତି ଅଧାରୁ ବନ୍ଦ ହୋଇଯାଇଛି । ଗୋଟିଏ ଦଳର ଏଜେଣ୍ଟମାନେ ନିଜ ସିଟରୁ ଉଠି ପଳାଇବାକୁ ଭୋଟ୍ ଗଣତି ଅଧାରୁ ବନ୍ଦ ରହିଥିଲା । ପୁନର୍ବାର ଭୋଟ୍ ଗଣତି ଆରମ୍ଭ ହୋଇଥିଲା । ଶେଷରେ ରାତି ପ୍ରାୟ ତିନିଟା ବେଳକୁ ଫଳାଫଳ ଆସିଥିଲା । ବିସିଜେଡ଼ି ପ୍ରାର୍ଥୀ ସୋନାଲି ବେହେରା ବିଜୟ ହାସଲ କରିଛନ୍ତି ବୋଲି ଆନୁଷ୍ଠାନିକ ଘୋଷଣା ହୋଇଥିଲା ।
📲Get App