🔥 TRENDING सोशल मिडिया पर पोस्ट किया ISRO completes final checks for joint... श्रीबाबू के 139वीं जयंती के राज्यसभा स... WhatsApp launches custom chat filter t... ग्राम पंचायत चुनाव: जयंतीलाल मीणा ने ब... EV two-wheeler bookings surge 35% in I...
15 Oct 2026•
ગુજરાતી मराठी ਪੰਜਾਬੀ বাংলা
Business

ଚାକିରି ପଛରେ ନଗୋଡ଼ାଇ ଚାଷକୁ ଆପଣାଇଲେ; ୩ ଏକର ଜମିରେ ଏକାଧିକ ରୋଜଗାରର ବାଟ ଖୋଲିଲେ ଶୁଭେନ୍ଦ୍ର

✍️ Reporter: Deepak Mahapatra 🗓 15 Oct 2026, 04:00 PM 👁 14
Share: 💬 WhatsApp 📘 Facebook 𝕏 Post
ଖୋର୍ଦ୍ଧା: ଚାକିରି କରିବା ଅପେକ୍ଷା ନିଜ ଜମିରେ କିଛି ନୂଆ କରିବାର ସ୍ୱପ୍ନ ଦେଖିଥିଲେ। ସେହି ସ୍ୱପ୍ନକୁ ସାକାର କରିବାକୁ ଯାଇ ଚାଷକୁ ଆପଣାଇଲେ। ଆଜି ମିଶ୍ରିତ ଚାଷ ମାଧ୍ୟମରେ ନିଜ ପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ୍‌ ବାଲକାଟି ଗାଁର ଶୁଭେନ୍ଦ୍ର ପ୍ରସାଦ ସାହୁ। ତାଙ୍କର ଏହି ନିଆରା କୃଷି ପଦ୍ଧତି ଏବେ ଅନ୍ୟ ଚାଷୀଙ୍କ ପାଇଁ ମଧ୍ୟ ପ୍ରେରଣା ପାଲଟିଛି।
ଶୁଭେନ୍ଦ୍ର କଳାରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଚାକିରି ପଛରେ ନଗୋଡ଼ାଇ ଚାଷ କାମରେ ମନ ଦେଇଥିଲେ। ପ୍ରାୟ ୨୦ ବର୍ଷ ତଳେ ୩ ଏକର ଜମିରୁ ଆରମ୍ଭ ହୋଇଥିଲା ତାଙ୍କର ଏହି ଯାତ୍ରା। ଧୀରେ ଧୀରେ ସେ ପାରମ୍ପରିକ ଚାଷ ସହ ଏକାଧିକ କୃଷିଭିତ୍ତିକ କାର୍ଯ୍ୟକୁ ଯୋଡ଼ି ନିଜ ରୋଜଗାରର ରାସ୍ତା ବଢ଼ାଇଛନ୍ତି।
ତାଙ୍କ ଫାର୍ମରେ ଗୋପାଳନ, ମାଛ ଯାଆଁଳ ଉତ୍ପାଦନ, ହଂସ, ବତକ ଓ କୁକୁଡ଼ା ପାଳନ ସହ ଜୈବିକ ସାର ପ୍ରସ୍ତୁତି କରାଯାଉଛି। ଏହା ସହ ନିକୁଟି ମହୁ ଚାଷ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ତାଙ୍କ ଫାର୍ମରେ ପ୍ରାୟ ୧୦୦ଟି ନିକୁଟି ମହୁ ବାକ୍ସ ରହିଛି। ଏହି ମହୁର ମୂଲ୍ୟ କିଲୋ ପିଛା ପ୍ରାୟ ୫ ହଜାର ଟଙ୍କା ବୋଲି ସେ କହିଛନ୍ତି।
କେବଳ ମହୁ ବିକ୍ରି ନୁହେଁ, ମହୁମାଛି କଲୋନି ଓ ବାକ୍ସ, ଜୈବିକ ସାର ମଧ୍ୟ ବିକ୍ରି କରୁଛନ୍ତି ଶୁଭେନ୍ଦ୍ର। ତାଙ୍କ ଫାର୍ମରୁ ମାଛ ଯାଆଁଳ ମଧ୍ୟ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଚାଷୀ କିଣି ନେଉଛନ୍ତି। ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର ସହ ବ୍ରହ୍ମପୁର, ଗୁଣୁପୁର ଓ ସୁନ୍ଦରଗଡ଼ ଅଞ୍ଚଳରୁ ମଧ୍ୟ ଚାଷୀ ଆସୁଥିବା ସୂଚନା ମିଳିଛି। ଏହି କାମରେ ତାଙ୍କୁ ସହଯୋଗ କରୁଛନ୍ତି ପତ୍ନୀ ସୁସ୍ମିତା। ଘର କାମ ସହ ଗୋପାଳନ ଓ ମହୁ ଚାଷରେ ସେ ସ୍ୱାମୀଙ୍କୁ ସହଯୋଗ କରୁଛନ୍ତି।
ଶୁଭେନ୍ଦ୍ରଙ୍କ ଏହି ଉଦ୍ୟମ ଦେଖାଉଛି ଯେ, ଯୋଜନାବଦ୍ଧ ଭାବେ ବିଭିନ୍ନ ଚାଷକୁ ଏକାଠି କରି କାମ କଲେ ଗୋଟିଏ ଜମିରୁ ଏକାଧିକ ରୋଜଗାରର ସୁଯୋଗ ସୃଷ୍ଟି ହୋଇପାରେ। ଚାକିରି ଅପେକ୍ଷା ନିଜ ଉଦ୍ୟମରେ ଆଗକୁ ବଢ଼ିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ପାଇଁ ତାଙ୍କର ଏହି କାହାଣୀ ଏକ ପ୍ରେରଣା।
📲Get App