🔥 TRENDING Madhya Pradesh Releases MD, MS College... D.P. Jewellers taps Madhya Pradesh Cri... Madhya Pradesh Spa Staff Assault Custo... પાવાગઢમાં ગુડ્સ રોપવેનો કેબલ તૂટ્યો, ટ... Donald Trump Orders 28 Advanced B-2 Bo... Kerala Synagogue Fire Suspected Extrem...
15 Oct 2026•
ગુજરાતી मराठी ਪੰਜਾਬੀ বাংলা
Education

ଭୋଟ୍ ଆଗରୁ କ୍ୟାମ୍ପସରେ ହିଂସା; ବାଣୀ ବିହାର କନ୍‌ଭେନସନ୍ ହଲ୍‌ ପାଲଟିଲା ରଣକ୍ଷେତ୍ର

✍️ Reporter: Deepak Mahapatra 🗓 15 Oct 2026, 01:32 PM 👁 13
Share: 💬 WhatsApp 📘 Facebook 𝕏 Post
ରାତି ପାହିଲେ ଛାତ୍ର ସଂସଦ ନିର୍ବାଚନ। କିନ୍ତୁ ତା’ ପୂର୍ବରୁ ରାଜ୍ୟର ବିଭିନ୍ନ କ୍ୟାମ୍ପସରେ ଦେଖିବାକୁ ମିଳିଛି ଖଣ୍ଡଯୁଦ୍ଧ। କେଉଁଠି ମୁହାମୁହିଁ ହୋଇଛନ୍ତି ୨ ପ୍ରମୁଖ ଛାତ୍ର ସଂଗଠନ ABVP ଏବଂ BCJD ତ କେଉଁଠି ପ୍ରାର୍ଥୀଙ୍କୁ ଅପହରଣ କରାଯାଇଥିବା ନେଇ ହୋଇଛି ଅଭିଯୋଗ। କେଉଁଠି କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ ଆସିଛି ତ କେଉଁଠି ଶେଷ ମୁହୂର୍ତ୍ତରେ ନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯାଇଛି। ଏମିତି ବିଭିନ୍ନ ପ୍ରକାର ଚିତ୍ର ଆସିଛି ରାଜ୍ୟର ବିଭିନ୍ନ ସ୍ଥାନରୁ।
ଏସବୁ ଭିତରେ ସବୁ ସୀମା ଟପିଯାଇଥିଲା ଉତ୍କଳ ବିଶ୍ୱବିଦ୍ୟାଳୟର ସଂଘର୍ଷ। ଆଜି ହ୍ୱାଏ ଆଇ ଷ୍ଟାଣ୍ଡ ଫର ମିଟିଂ ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟର କନ୍‌ଭେନ୍‌ସନ୍ ହଲ୍‌ ପାଲଟି ଯାଇଥିଲା ରଣକ୍ଷେତ୍ର। ଉଡ଼ିଥିଲା ଚେୟାର। ଯିଏ ଯେମିତି ପାରିଲେ ଭାଙ୍ଗିଥିଲେ ଓ ଫିଙ୍ଗିଥିଲେ। ହାତରେ ଯିଏ ଯାହା ପାଇଲା ଛିନଛତ୍ର କଲା। କାହାର ଓଠ ଖଣ୍ଡିଆ ହେଲା ତ ଆଉ କାହାର ଗୋଡ଼ହାତ। ମୁହାଁମୁହିଁ ହୋଇଥିଲେ ABVP ଓ BCJD କର୍ମୀ। ସାମାନ୍ୟ ବଚସାରୁ ୨ ଗୋଷ୍ଠୀଙ୍କ ସଂଘର୍ଷରେ ରଣକ୍ଷେତ୍ର ପାଲଟିଯାଇଥିଲା ପୂରା କନ୍‌ଭେନ୍‌ସନ୍ ହଲ୍‌। ଶେଷରେ ପୋଲିସ ଫୋର୍ସ ଧରି ପହଞ୍ଚିଥିଲେ ଡିସିପି ସର୍ବଣା ବିବେକ ଏମ୍। ଆଉ ଷ୍ଟେଜ୍ ଉପରକୁ ଚଢ଼ି ଅଣଛାତ୍ରଙ୍କୁ ହଲ୍ ଭିତରୁ ୧୦ ମିନିଟ୍ ଭିତରେ ବାହାରି ଯିବାକୁ ମାଇକରେ ଚେତାବନୀ ଦେଇଥିଲେ। କିଛି ସମୟ ଭିତରେ ନିଜେ ପୁଲିସ କମିଶନର ବି ପହଞ୍ଚିଥିଲେ। ଶେଷରେ ୩ ଘଣ୍ଟାର କସରତ ପରେ ଶାନ୍ତ ପଡ଼ିଥିଲା କ୍ୟାମ୍ପସ। ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏରେ ଆରମ୍ଭ ହୋଇଥିଲା ହ୍ବାଇ ଆଇ ଷ୍ଟାଣ୍ଡ୍ ଫର୍ ମିଟିଂ।
ଛାତ୍ର ସଂସଦ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପରଠୁ ହିଁ ବିଭିନ୍ନ ସ୍ଥାନରେ କୁହୁଳୁଥିଲା ଛାତ୍ର ଅସନ୍ତୋଷର ନିଆଁ। ରାଜନୈତିକ ଦଳ ଗୁଡ଼ିକର ହସ୍ତକ୍ଷେପ ଯୋଗୁ ବିଭିନ୍ନ କ୍ୟାଂପସରେ ମୁହାଁମୁହିଁ ଅବସ୍ଥାକୁ ଚାଲିଆସିଥିଲେ ଛାତ୍ର ଗୋଷ୍ଠୀ। ଗତକାଲି ରମାଦେବୀ ବିଶ୍ବବିଦ୍ୟାଳୟର ମୁହାଁମୁହିଁ ହୋଇଥିଲେ ABVP ଓ BCJD ସମର୍ଥିତ ଛାତ୍ରୀ ଗୋଷ୍ଠୀ। ବାଲଟ୍ ପେପର୍ ନମ୍ବର ବଦଳ ନେଇ BCJDର ଅଭିଯୋଗକୁ ନେଇ ଦେଖାଦେଇଥିଲା ଉତ୍ତେଜନା। ଆଜି କିନ୍ତୁ ଏଠାରେ ସୁରୁଖୁରୁରେ ସରିଥିଲା ହ୍ବାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ।
ଅପରପକ୍ଷରେ ବାରିପଦାରେ ଉପୁଜିଥିଲା ଅଭାବନୀୟ ସ୍ଥିତି। ବାରିପଦା ଉପକଣ୍ଠ ବାଇଗଣ ବାଡ଼ିଆ ସ୍ଥିତ ବାବା ବଳିଆ କଲେଜ ସମ୍ମୁଖରେ ହୋଇଥିଲା ବାଡ଼ିଆପିଟା, ପାଟିତୁଣ୍ଡ, ହୋହଲ୍ଲା। ଯାହାକୁ ଦେଖି ହ୍ୱାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂରେ ଯୋଗ ଦେବାକୁ ଆସିଥିବା ଜଣେ ସଭାପତି ପ୍ରାର୍ଥୀ ମୂର୍ଚ୍ଛା ହୋଇଯାଇଥିଲେ। ସୁସ୍ଥ ହେବା ପରେ ସେ ଅଭିଯୋଗ କରିଛନ୍ତି ଯେ ନିର୍ବାଚନରୁ ନଓହରିଲେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି।
କେବଳ ଭୁବନେଶ୍ୱର କି ବାରିପଦା ନୁହଁ, ହ୍ୱାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ସମୟରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ଦେଖାଦେଇଥିଲା ଛାତ୍ର ଉତ୍ତେଜନା। ବଲାଙ୍ଗିର ସର୍କିଟ ହାଉସରେ ABVP ଓ ବିଜେଡି ମଧ୍ୟରେ ଉପୁଜିଥିବା ଗଣ୍ଡଗୋଳ ଥାନା ଯାଏ ପହଞ୍ଚିଥିଲା। ବଲାଙ୍ଗିର ପୁଲିସ ରାଜ୍ୟ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ହୋତା ଓ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ସୁମନ ନନ୍ଦଙ୍କୁ ଅଟକ ରଖିଥିଲା। ପରେ ସୁମନ ନନ୍ଦଙ୍କୁ ଗିରଫ କରାଯାଇଥିଲା।
ଢେଙ୍କାନାଳ ଓଡ଼ାପଡ଼ା କଲେଜରେ ସଭାପତି ପ୍ରାର୍ଥୀ ଟୁନା ରାଉତଙ୍କ ନିଖୋଜ ଅଭିଯୋଗ ହେବା ପରେ ଦେଖାଦେଇଥିଲା ଉତ୍ତେଜନା। ଶେଷରେ କଲେଜକୁ ସାଇନ-ଏ-ଡାଏ ଘୋଷଣା କରିଥିଲେ ପ୍ରିନସିପାଲ୍। ସେହିପରି ଉଦଳା କଲେଜ, ନୂଆପଡ଼ା ନ୍ୟାସନାଲ୍ କଲେଜ, କେନ୍ଦୁଝର ଧରଣୀଧର ବିଶ୍ବବିଦ୍ୟାଳୟ ପରିସରରେ ବି ଟେନସନ୍ ଦେଖାଦେଇଥିଲା। ଏଭଳି ଛାତ୍ର ଅଶାନ୍ତି ଭିତରେ ଏବେ ଅପେକ୍ଷା ଆସନ୍ତାକାଲିର ମତଦାନକୁ।
📲Get App