🔥 TRENDING Madhya Pradesh Releases MD, MS College... D.P. Jewellers taps Madhya Pradesh Cri... Madhya Pradesh Spa Staff Assault Custo... પાવાગઢમાં ગુડ્સ રોપવેનો કેબલ તૂટ્યો, ટ... Donald Trump Orders 28 Advanced B-2 Bo... Kerala Synagogue Fire Suspected Extrem...
15 Oct 2026•
ગુજરાતી मराठी ਪੰਜਾਬੀ বাংলা
ବିନା ଅନୁମତିରେ ସମ୍ପ୍ରସାରଣ ଓ ନିର୍ମାଣ: ପାରାଦୀପ ଆଇଓସିଏଲ୍ ରିଫାଇନାରୀକୁ କାରଣଦର୍ଶାଅ ନୋଟିସ୍ ଜାରି କଲେ ଓଡ଼ିଶା ସରକାର
Business

ବିନା ଅନୁମତିରେ ସମ୍ପ୍ରସାରଣ ଓ ନିର୍ମାଣ: ପାରାଦୀପ ଆଇଓସିଏଲ୍ ରିଫାଇନାରୀକୁ କାରଣଦର୍ଶାଅ ନୋଟିସ୍ ଜାରି କଲେ ଓଡ଼ିଶା ସରକାର

✍️ Reporter: Deepak Mahapatra 🗓 15 Oct 2026, 01:26 PM 👁 12
Share: 💬 WhatsApp 📘 Facebook 𝕏 Post
ସରକାରୀ ନିୟମକୁ ବେଖାତିର କରି ବିନା ଅନୁମୋଦନରେ ବିଭିନ୍ନ ୟୁନିଟ୍ ନିର୍ମାଣ ଓ ସମ୍ପ୍ରସାରଣ କରିବା ଘଟଣାରେ ପାରାଦୀପ ଆଇଓସିଏଲ୍ ରିଫାଇନାରୀ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। କାରଖାନା ନିୟମାବଳୀର ଖୋଲା ଉଲ୍ଲଂଘନ ଅଭିଯୋଗରେ ରାଜ୍ୟ କାରଖାନା ଓ ବଏଲର ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ଅକ୍ଟୋବର ୧୪ ତାରିଖରେ ଆଇଓସିଏଲ୍ କର୍ତ୍ତୃପକ୍ଷଙ୍କୁ ଜରୁରୀ କାରଣଦର୍ଶାଅ ନୋଟିସ୍ ଜାରି ହୋଇଛି। ଆଗାମୀ ୭ ଦିନ ମଧ୍ୟରେ ଏହି ନୋଟିସର ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନୁମୋଦିତ ଲେ-ଆଉଟ୍ ପ୍ଲାନରେ ସ୍ଥାନ ପାଇନଥିବା ଏକାଧିକ ସଂରଚନା ଗଢ଼ିବା ଓ ବିନା ଲାଇସେନ୍ସ ସଂଶୋଧନରେ ନୂଆ ୟୁନିଟ୍ ଚାଲୁ କରିବା ଭଳି ସଙ୍ଗୀନ ଅନିୟମିତତା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି।
କାରଖାନା ଓ ବଏଲର ସହକାରୀ ନିର୍ଦ୍ଦେଶକ(ପାରାଦୀପ ଜୋନ୍ )ଙ୍କ ପକ୍ଷରୁ ଆଜି ଜାରି ହୋଇଥିବା ନୋଟିସରେ ଦର୍ଶାଯାଇଛି ଯେ, ପୂର୍ବରୁ ୨୦୨୪ ଜୁଲାଇ ୩୧ ତାରିଖରେ ରିଫାଇନାରୀର ସର୍ବଶେଷ ସମ୍ପ୍ରସାରଣ ନକ୍ସାକୁ ନିର୍ଦ୍ଦେଶାଳୟ ପକ୍ଷରୁ ମଞ୍ଜୁର କରାଯାଇଥିଲା। ମାତ୍ର ଚଳିତବର୍ଷ ଜୁନ୍ ୧ ଓ ୨ ତାରିଖରେ ସିଆଇସିଜି ଯାଂଚବେଳେ ତଦନ୍ତକାରୀ ଦଳ ବ୍ୟାପକ ବେଆଇନ ନିର୍ମାଣ ଚିହ୍ନଟ କରିଥିଲେ। ଇଟିପି ପରିସରର ଦକ୍ଷିଣ-ପଶ୍ଚିମ ଭାଗରେ ଏକ ନୂଆ ସବ୍‌-ଷ୍ଟେସନ୍ (ଏସ୍‌ଏସ୍‌-୩୩୩ଏସ୍‌) ନିର୍ମାଣ ହୋଇସାରିଥିବାବେଳେ ଏହା ସରକାରୀ ଅନୁମୋଦିତ ପ୍ଲାନରେ ଅନ୍ତର୍ଭୁକ୍ତ ନଥିଲା।
ସେହିପରି ଷ୍ଟିମ୍ ପାଇପଲାଇନ୍ ଯାଂଚବେଳେ ଏଭି ଗ୍ୟାସୋଲିନ୍ ସୁବିଧା, ଏନ୍‌ଏଚଟି-ଡିଏଚଡିଟି ଅଂଚଳ ଓ ସଲଫର ଷ୍ଟୋରେଜ୍ ଟ୍ୟାଙ୍କଗୁଡ଼ିକ ମଧ୍ୟ ବିନା ଅନୁମୋଦନରେ ନିର୍ମାଣ ହୋଇଥିବା ଧରାପଡ଼ିଥିଲା। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଲାଇସେନ୍ସ ସଂଶୋଧନ ନକରି କମ୍ପାନୀ ସଲଫର ରିକଭରି ୟୁନିଟ୍ ଟ୍ରେନ୍‌-୩ କୁ ନିର୍ମାଣ କରି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିଦେଇଛି।
ଏହି ନିୟମ ଖିଲାପୀକୁ ଗମ୍ଭୀରତାର ସହ ନେଇ ରାଜ୍ୟ ସରକାର ଆଜି କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜବାବ ତଲବ କରିଛନ୍ତି। କେଉଁ ପରିସ୍ଥିତିରେ ଓ କାହିଁକି ଏସବୁ ୟୁନିଟ୍ ନିର୍ମାଣ ପୂର୍ବରୁ ସରକାରୀ ମଞ୍ଜୁରୀ ନିଆଯାଇନଥିଲା, ତାହା ଜଣାଇବା ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ମିତ, ନିର୍ମାଣାଧୀନ କିମ୍ବା କାର୍ଯ୍ୟକ୍ଷମ ହୋଇଥିବା ସମସ୍ତ ଅଣଅନୁମୋଦିତ ସଂରଚନାର ଏକ ସମ୍ପୂର୍ଣ୍ଣ ତାଲିକା ନୋଟିସ୍ ମିଳିବାର ୭ଦିନ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
କାରଖାନା ଆଇନ-୧୯୪୮ ର ଧାରା ୬ ତଥା ଓଡ଼ିଶା କାରଖାନା ନିୟମାବଳୀ ଉଲ୍ଲଂଘନ ପାଇଁ କମ୍ପାନୀ(IOCL) ବିରୋଧରେ କାହିଁକି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ମଧ୍ୟ ନୋଟିସରେ ପ୍ରଶ୍ନ କରାଯାଇଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉପଯୁକ୍ତ ପ୍ରମାଣପତ୍ର ଓ ସନ୍ତୋଷଜନକ ଉତ୍ତର ନମିଳିଲେ ଉପଲବ୍ଧ କାଗଜପତ୍ର ଆଧାରରେ କଠୋର ଆଇନଗତ ପଦକ୍ଷେପ ନିଆଯିବ ବୋଲି ପାରାଦୀପ ଜୋନ ସହକାରୀ ନର୍ଦ୍ଦେଶକ(ଫ୍ୟାକ୍ଟ୍ରି ଓ ବଏଲର) ଚେତାବନୀ ଦେଇଛନ୍ତି।
📲Get App