🔥 TRENDING ખેડબ્રહ્મા પોલીસે સજા વોરંટના બે આરોપી... અમરાપુર ગામે પંચાયતના ઠરાવ બાબતે સરપંચ... ખરોડ ગામમાં જૂની અદાવતના કારણે મારામાર... ਡੇਰਾਬਸੀ: ਕਿਸਾਨ ਜਥੇਬੰਦੀਆਂ ਨੇ ਪਰਮਿੰਦਰ ਸਿ... પાકિસ્તાનના પંજાબમાં લશ્કર-એ-તૈયબાના ટ... 🚨 BIG BREAKING NEWS | ଆର୍‌ଡି ମହିଳା ବି...
15 Oct 2026•
ગુજરાતી मराठी ਪੰਜਾਬੀ বাংলা
ଭାରତୀୟ ନିର୍ବାଚନର ଏକ ନୂତନ ପର୍ଯ୍ୟାୟ
Politics

ଭାରତୀୟ ନିର୍ବାଚନର ଏକ ନୂତନ ପର୍ଯ୍ୟାୟ

✍️ Reporter: Deepak Mahapatra 🗓 15 Oct 2026, 01:42 PM 👁 10
Share: 💬 WhatsApp 📘 Facebook 𝕏 Post
୨୦୧୪ ମସିହା ପରଠାରୁ ଭାରତୀୟ ରାଜନୀତିରେ ଏକ ନୂତନ ପର୍ଯ୍ୟାୟଆରମ୍ଭ ହୋଇଛି। ଏହି ନୂତନ ପର୍ଯ୍ୟାୟରେ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ପ୍ରମୁଖ ଶକ୍ତି ଭାବେ ଉଭା ହୋଇଛି। ଜାତୀୟ ଓ ରାଜ୍ୟସ୍ତରରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତାର ସ୍ୱରୂପ ଓ ପରିସରକୁ ଏହି ଦଳ କ୍ରମଶଃ ନିଜ ସପକ୍ଷରେ ଗଢି ଚାଲିଛି। କେତେକ ପ୍ରଶ୍ନ ଉଠାଉଛନ୍ତି ଯେ, ଭାଜପା’ର ଏହି ଉତ୍ଥାନ କ’ଣ ଏକ ସ୍ଥାୟୀ ସଂରଚନାଗତ ବିକାଶ, ନା ଏହା କେବଳ ସ୍ୱଳ୍ପକାଳୀନ ନିର୍ବାଚନୀ ପ୍ରାଧାନ୍ୟ ? ଏହା କ’ଣ ନରେନ୍ଦ୍ର ମୋଦୀଙ୍କ ଆକର୍ଷଣୀୟ ବ୍ୟକ୍ତିତ୍ୱ ଓ ଲୋକପ୍ରିୟ ନେତୃତ୍ୱ ଆଧାରିତ ଏବଂ ସେଥିପାଇଁ ହିଁ ଦୀର୍ଘ ୧୨ ବର୍ଷ ଧରି ଅବ୍ୟାହତ ରହିଛି କି?
ଉପରୋକ୍ତ ପ୍ରଶ୍ନର ଉତ୍ତର ଖୋଜିଲା ବେଳେ ଦଳର ସଂରଚନାଗତ ପ୍ରାଧାନ୍ୟ ଦୃଷ୍ଟିଗୋଚର ହେଉଛି। ଆସାମ, ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଓ ପୁଡୁଚେରୀରେ ହୋଇଥିବା ନିର୍ବାଚନ ଏହି ନୂତନ ପର୍ଯ୍ୟାୟର ଉଦାହରଣ। ୨୦୨୪ର ସାଧାରଣ ନିର୍ବାଚନରେ ଭାଜପା ନେତୃତ୍ୱରେ ପରିଚାଳିତ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଯେଉଁ ଧକ୍କା ଖାଇଥିଲା, ତାହା ସୂଚାଇ ଦେଇଥିଲା ଯେ, ଗତ ଏକ ଦଶନ୍ଧି ଧରି ସର୍ବୋଚ୍ଚ ଉଚ୍ଚତାରେ ପହଞ୍ଚିଥିବା ମୋଦୀଙ୍କ ବ୍ୟକ୍ତିତ୍ୱର ଆକର୍ଷଣ କ୍ରମଶଃ ହ୍ରାସ ପାଇଛି। ତଥାପି, ୨୦୨୪ରୁ ୨୦୨୬ ମଧ୍ୟରେ ହୋଇଥିବା ନିର୍ବାଚନଗୁଡ଼ିକରେ ବିଜେପି ଯେଭଳି ପ୍ରଦର୍ଶନ କରିଛି, ତାହା ୨୦୧୪-୧୬ କିମ୍ବା ୨୦୧୯-୨୧ ପର୍ଯ୍ୟାୟର ପ୍ରଦର୍ଶନଠାରୁ ନିଶ୍ଚିତ ଭଲ ବୋଲି କହିହେବ।
୨୦୧୪-୧୬ ପର୍ଯ୍ୟାୟରେ ଶ୍ରୀ ମୋଦୀଙ୍କୁ ବିକାଶ ପୁରୁଷ କୁହାଯାଉଥିଲା ଏବଂ ସେ ଏକ ପରିବର୍ତ୍ତନକାରୀ ନେତାଭାବେ ଉଜ୍ଜ୍ୱଳ ଦେଖାଯାଉଥିଲେ। ୨୦୧୯-୨୧ ପର୍ଯ୍ୟାୟରେ ସେ ଗରିବଲୋକଙ୍କ ତ୍ରାଣକର୍ତ୍ତା ଭାବେ ଉଭା ହୋଇଥିଲେ ଏବଂ ତାଙ୍କ ପ୍ରତି ଜନସାଧାରଣଙ୍କ ଅତୁଳନୀୟ ବିଶ୍ୱାସ ଥିବାର ଧାରଣା ସୃଷ୍ଟି ହୋଇଥିଲା। କିନ୍ତୁ ଗତ ବିଧାନସଭା ନିର୍ବାଚନୀ ପର୍ଯ୍ୟାୟରେ ହିଁ ଭାଜପା ଓଡ଼ିଶା, ଦିଲ୍ଲୀ ଓ ପଶ୍ଚିମବଙ୍ଗରେ କ୍ଷମତା ଦଖଲ କରିବାରେ ସଫଳ ହୋଇଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗର ବିଜୟକୁ ସବୁଠାରୁ ବଡ଼ ରାଜନୈତିକ ପୁରସ୍କାର ବୋଲି ବିବେଚନା କରାଯାଉଛି।
ଏହା ଅନସ୍ୱୀକାର୍ଯ୍ୟ ଯେ, କ୍ଷମତା ବ୍ୟବସ୍ଥାକୁ ନିର୍ଦ୍ଦେଶ ଦେବା ଓ ପରିଚାଳନା କରିବାରେ ମୋଦୀଙ୍କ ନେତୃତ୍ୱର ଗୁରୁତ୍ୱ ରହିଛି। କିନ୍ତୁ ଭାଜପା’ର ବିଜୟ ନନ୍ଦିଘୋଷକୁ ଆଗକୁ ନେଉଥିବା ପ୍ରକୃତ ଶକ୍ତି ହେଉଛି ଏକ ବ୍ୟାପକ ସାଂଗଠନିକ ଓ କ୍ଷମତାଗତ ବ୍ୟବସ୍ଥା। ଦଳୀୟ ସଂଗଠନ ସହିତ ସଂଘ ପରିବାରର ବ୍ୟାପକତ୍ୱ, ବୃହତ୍ ଶିଳ୍ପଗୋଷ୍ଠୀ ଓ ରାଜ୍ୟର ପ୍ରମୁଖ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି।
ହରିୟାଣା ଓ ମହାରାଷ୍ଟ୍ରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ତୃଣମୂଳ ସ୍ତରୀୟ ସାଂଗଠନିକ ସକ୍ରିୟତା ଭାଜପାକୁକ୍ଷମତାସୀନ ସରକାର ବିରୋଧୀ ଜନଅସନ୍ତୋଷ (ଆଣ୍ଟିଇନକ୍ୟୁମ୍ବାନ୍ସି) ପ୍ରଭାବକୁ କମାଇବାରେ ସାହାଯ୍ୟ କରିଥିଲା। ଯଦିଓ ସେତେବେଳେ ଦଳିତମାନଙ୍କ ମଧ୍ୟରେ ଦେଖାଦେଇଥିବା ଅସନ୍ତୋଷ ଦୀର୍ଘ ଦଶବର୍ଷର ଶାସନକରିସାରିଥିବା ଶାସକ ମେଣ୍ଟ ପାଇଁ ବିପଦ ସୃଷ୍ଟି କରୁଥିଲା,ପଶ୍ଚିମବଙ୍ଗରେ ସଂଘ ପରିବାର ପକ୍ଷରୁ ଏକ ରାଜନୈତିକ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଥିଲା। ଏହା ବିଭିନ୍ନ ଜାତି ଓ ସମ୍ପ୍ରଦାୟ ମଧ୍ୟରେ ଥିବା ବିକ୍ଷିପ୍ତ ଅସନ୍ତୋଷକୁ ସୁସଂଗଠିତ ଭାବେ ଦୂର କରିବା ସହିତ ରାଜ୍ୟବ୍ୟାପୀ ‘ହିନ୍ଦୁ ବଞ୍ଚାଅ’ମାନସିକତାରେ ପରିଣତ କରିବାରେ ସହାୟକ ହୋଇଥିଲା।
ଏହି ସମୟ ମଧ୍ୟରେ ଭାଜପା ଏକ କ୍ଷମତାଗତ ଢାଞ୍ଚା ନିର୍ମାଣ କରିସାରିଛି। ଏହି ଢାଞ୍ଚା ତାହାକୁ ‘କଂଗ୍ରେସଯୁଗ’ ଭଳି ‘ସ୍ୱାଭାବିକ ଶାସକ ଦଳ’ରେ ପରିଣତ କରିବାପାଇଁ ସାହାଯ୍ୟ କରୁଛି। ଏହି କ୍ଷମତାଗତ ଢାଞ୍ଚାମଧ୍ୟରେ ରହିଛି ଅନୌପଚାରିକ ମେଣ୍ଟ ଏବଂ ସରକାରୀ ଅନୁଷ୍ଠାନଗୁଡ଼ିକ ଉପରେ ନିୟନ୍ତ୍ରଣ ଭଳି ବିଭିନ୍ନ ଉପାଦାନ। ଏହାଦ୍ୱାରା ଭାଜପା ନିଜ ସୁବିଧା ଅନୁଯାୟୀ ନିଜର ଦଳୀୟ ବ୍ୟବସ୍ଥାକୁ ଗଢ଼ିପାରୁଛି, ବିରୋଧୀ ଦଳଗୁଡ଼ିକ ମଧ୍ୟରେ ବିଭେଦ ସୃଷ୍ଟି କରି ପାରୁଛି ଏବଂ ବିରୋଧୀ ଦଳର ନେତାମାନଙ୍କୁ ନିଜ ଦଳରେ ସାମିଲ କରିପାରୁଛି। ଏହା ସହିତ, ପ୍ରଶାସନିକ କଳକୁ ନିଜ ସପକ୍ଷରେ ବ୍ୟବହାର କରି ‘ହିନ୍ଦୁତ୍ୱ ବିଚାରଧାରା’କୁ ପ୍ରଭାବଶାଳୀ କରିପାରୁଛି ବୋଲି କିଛି ରାଜନୈତିକ ବିଶ୍ଳେଷକ ମଧ୍ୟ ମତ ଦିଅନ୍ତି।
ଆସାମରେ ହିମନ୍ତ ବିଶ୍ୱଶର୍ମାଙ୍କ ସରକାର ‘ବାଂଲାଦେଶୀ ମୁସଲମାନ ଅନୁପ୍ରବେଶକାରୀ’ ପ୍ରସଙ୍ଗକୁ ଏକ ପ୍ରମୁଖ ରାଜନୈତିକ ଅସ୍ତ୍ର ଭାବେ ପ୍ରତିଷ୍ଠା ଦେଇଛି। ଏହି ଅସ୍ତ୍ର ଆସାମରେ ଭାଜପା’ର ପରିଚୟ ପାଲଟିଛି, ଯାହା ଆଧାରରେ ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଠାରୁ ଆରମ୍ଭ କରି ଜମି ଓ ସମ୍ବଳର ସାର୍ବଜନୀନ ନିୟନ୍ତ୍ରଣ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରକୁ ପ୍ରଭାବିତ କରାଯାଉଛି। ‘ବାଂଲାଦେଶୀ ଅନୁପ୍ରବେଶକାରୀ’ର ଏହି ବର୍ଗୀକରଣ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି), ‘ଡି-ଭୋଟର’ ବା ସନ୍ଦେହଜନକ ଭୋଟର ବର୍ଗ, ଅଟକ କେନ୍ଦ୍ର, ନିର୍ବାଚନମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ, ଉଚ୍ଛେଦ ଅଭିଯାନଓ ପୁଲିସ କାର୍ଯ୍ୟାନୁଷ୍ଠାନ ଭଳି ନୀତି ଓ ପ୍ରକ୍ରିୟାର କେନ୍ଦ୍ରବିନ୍ଦୁ ହୋଇଛି।
ସରକାରୀ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାର ପ୍ରଭାବ ଆସାମ ଜନମାନସରେ ଏକ ନୂଆ ମାନସିକତା ସୃଷ୍ଟି କରିଛି। ହିନ୍ଦୁ ଧର୍ମାବଲମ୍ବୀ ସ୍ଥାନୀୟ ବା ଆଦିବାସୀ ମୂଳବାସୀ ଏବଂ ମୁସଲମାନ ଧର୍ମାବଲମ୍ବୀ ବାହାର ଲୋକଙ୍କ ମଧ୍ୟରେ ଏକ ବିଭାଜନକାରୀ ରେଖା ଟାଣି ଦିଆଯାଇଛି। ଏହି ବିଭାଜନ ହିଁ ନିର୍ଦ୍ଧାରଣ କରୁଛି ଯେ,ସାମୂହିକ ଜୀବନ ଏବଂ ରାଜନୈତିକ ବିଚାରଧାରା କିପରି ହେବ। ତେଣୁ ହିମନ୍ତ ବିଶ୍ୱଶର୍ମା ସରକାରଙ୍କ ସାମ୍ପ୍ରଦାୟିକ ରାଜନୀତି କେବଳ ଘୃଣାସୃଷ୍ଟିକାରୀ ଭାଷଣରେ ସୀମିତ ରହିନାହିଁ; ଏହା ଶାସନ ବ୍ୟବସ୍ଥାର ମୂଳ ଢାଞ୍ଚା ଏବଂ ଜନସାଧାରଣଙ୍କ ସହ ତାହାର ସମ୍ପର୍କକୁ ମଧ୍ୟ ଗଭୀର ଭାବେ ଜଡ଼ିତ କରିସାରିଛି।
ଅଭିଯୋଗ କରାଯାଏ ଯେ,ପଶ୍ଚିମବଙ୍ଗରେଭାଜପା’ର ନିର୍ବାଚନୀ ଅଭିଯାନରେ କେନ୍ଦ୍ର ସରକାର କେନ୍ଦ୍ରୀୟ ସଂସ୍ଥାଗୁଡିକ ମାଧ୍ୟମରେ ଅସାଧୁ କୌଶଳ ଓ ପକ୍ଷପାତପୂର୍ଣ୍ଣ ବ୍ୟବହାର କରିଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଓ ଅର୍ଦ୍ଧସାମରିକ ବାହିନୀକୁ ରାଜ୍ୟ ବିଧାନସଭା ନିର୍ବାଚନରେ ଅଭୂତପୂର୍ବ ତଥା ବ୍ୟାପକ ମାତ୍ରାରେ ନିୟୋଜିତ କରାଯାଇଥିଲା। ଜମ୍ମୁ-କାଶ୍ମୀର ଓ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ବ୍ୟତିତ ଅନ୍ୟ କୌଣସି ରାଜ୍ୟରେ ପୂର୍ବରୁ ଏଭଳି ନିୟୋଜନ କେହି ଦେଖି ନଥିଲେ। ଏହି ସମୟରେ ଭାରତର ନିର୍ବାଚନ ଆୟୋଗ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିଥିଲେ। ଏହି ପ୍ରକ୍ରିୟାକୁ ଅବ୍ୟବସ୍ଥିତ ଓ ଭେଦଭାବପୂର୍ଣ୍ଣ ଥିଲା ବୋଲି କୁହାଯାଉଛି। ସେଥିପାଇଁ କୁଆଡ଼େ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଏକ ବଡ଼ ସମର୍ଥକ ଗୋଷ୍ଠୀ- ବିଶେଷତଃ ମୁସଲମାନ ଭୋଟରଙ୍କ ଏକ ବଡ ଅଂଶ-ଭୋଟର ତାଲିକାରୁ ବାଦ୍ ପଡ଼ିଥିଲେ। ଏଭଳି ଅଭିଯୋଗ ନିରାଧାର ହୋଇଥିଲେ ମଧ୍ୟ ତୃଣମୂଳ କଂଗ୍ରେସ ପକ୍ଷରୁ ଚାଲିଥିବା ତୁଷ୍ଟିକରଣ ରାଜନୀତି, ଗୁଣ୍ଡାରାଜକୁ ଦମନ କରି ଅବାଧ,ଭୟମୁକ୍ତ ମତଦାନ ସମ୍ଭବ କରିବାକୁ ଉଦ୍ୟମ ହୋଇଥିଲା।
ଭାଜପା’ର ପ୍ରାଧାନ୍ୟଭିତ୍ତିକ ବ୍ୟବସ୍ଥାର ବିଜୟରଥକୁ ଅଟକାଇବା ପାଇଁ ଏକ ବିକଳ୍ପ ଆଧିପତ୍ୟ ସୃଷ୍ଟି କରିବାର ରାଜନୈତିକ ଆବଶ୍ୟକତା ଥିଲେ ମଧ୍ୟ ଆସାମରେ କଂଗ୍ରେସ ଦଳ ଗତ ଏକ ଦଶନ୍ଧି ଧରି ଏଭଳି ରାଜନୀତିକୁ କାର୍ଯ୍ୟକାରୀ କରିବା ତ ଦୂରର କଥା, କଳ୍ପନା କରିବାରେ ମଧ୍ୟ ବିଫଳ ରହିଛି।
ବିକଳ୍ପ ଆଧିପତ୍ୟ ସୃଷ୍ଟି କରିବାର ରାଜନୈତିକ ଆବଶ୍ୟକତା ପୂରଣ କରିବାକୁ କଂଗ୍ରେସ ଦଳ ତରୁଣ ଗୋଗୋଇଙ୍କ ଉତ୍ତରାଧିକାରୀଙ୍କ ଉପରେ ନିର୍ଭର କରିଥିଲା। ତାଙ୍କର ସାଂସଦ ପୁତ୍ର ଗୌରବଙ୍କୁ ଦିଲ୍ଲୀରୁ ଅଣାଯାଇ ବିଧାନସଭା ନିର୍ବାଚନର ମାତ୍ର ଏକ ବର୍ଷ ପୂର୍ବରୁ ରାଜ୍ୟ ଦାୟିତ୍ୱ ଦିଆଯାଇଥିଲା। ଉପର ଆସାମରେ ପ୍ରଭାବଶାଳୀ ଆହୋମ ଜାତିର ନେତୃତ୍ୱଏବଂ ତଳ ଆସାମରେ ମୁସଲମାନଙ୍କ ନେତୃତ୍ୱରେ ଏକଜୁଟ ହେବାକୁ କଂଗ୍ରେସ ଦଳ ଭରସା କରିଥିଲା। ଅନ୍ୟପଟେ, ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ‘ବଙ୍ଗାଳୀ ଅସ୍ମିତା’, ମହିଳାଙ୍କୁ ନଗଦ ଅର୍ଥ ସହାୟତା ଏବଂ ମୁସଲମାନ ଭୋଟରଙ୍କ ଏକତ୍ରୀକରଣ ଉପରେ ନିର୍ଭର କରି ଲଗାତାର ଚତୁର୍ଥ ଥର ପାଇଁ କ୍ଷମତାକୁ ଫେରିବାର ଆଶା ରଖିଥିଲା। କିନ୍ତୁ ଏହି ଦୁଇଟି ରାଜ୍ୟରେ ରଣନୀତି ଶୋଚନୀୟ ଭାବରେ ବିଫଳ ହୋଇଥିଲା।
ପ୍ରମୁଖ ଆଞ୍ଚଳିକ ଦଳ ଏବଂ କଂଗ୍ରେସର କ୍ରମାବନତିକୁ ସେମାନଙ୍କ ସାଂଗଠନିକ ସ୍ୱରୂପ ସହ ଯୋଡ଼ି ଦେଖାଯାଇପାରେ। ଏହି ଦଳଗୁଡ଼ିକ ମୁଖ୍ୟତଃ ‘ନିର୍ବାଚନ ସର୍ବସ୍ୱ ପେସାଦାର ଦଳ’ରେ ପରିଣତ ହୋଇଯାଇଛନ୍ତି। ଏପରି ଦଳଗୁଡ଼ିକ ବିଚାରଧାରା ପ୍ରତି ନିଷ୍ଠାବାନ ରହି ଆସିଥିବା ନିଜ ଦଳର କର୍ମୀଙ୍କ ଅପେକ୍ଷା ନିର୍ବାଚନୀ ଅଭିଯାନ ପରିଚାଳକ, ପରାମର୍ଶଦାତା ଓ ଜନମତ ସର୍ବେକ୍ଷକଙ୍କ ଭଳି ପେସାଦାରଙ୍କୁ ନେଇ ସମୃଦ୍ଧ ହୋଇଥାଏ। ଏହି ଦଳମାନଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି କେବଳ ନିର୍ବାଚନୀ ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିବା।
ନିର୍ବାଚନ-ପେସାଦାର ଦଳର ଉତ୍ଥାନ ପ୍ରଚଳିତ ବିକାଶ ମଡେଲ୍‌ ସହ ଖାପ ଖୁଆଇବାର ଏକ ସାଂଗଠନିକ ପରିବର୍ତ୍ତନ ବୋଲି କୁହାଯାଇ ପାରିବ। ରାଜ୍ୟ ସରକାରଗୁଡ଼ିକ ବୃହତ୍ ପୁଞ୍ଜିକୁ ଆକର୍ଷିତ କରିବା, ଆର୍ଥିକ ଅଭିବୃଦ୍ଧି ହାସଲ କରିବା ଏବଂ ସାମାଜିକ କଲ୍ୟାଣ ଯୋଜନା ପାଇଁ ଅର୍ଥ ସଂଗ୍ରହ କରିବାକୁ ଚାହୁଁଥିବାରୁ ସେମାନେ ପ୍ରାୟ ସମାନ ପ୍ରକାରର ‘ସୁଶାସନ’ ନୀତି ଅନୁସରଣ କରିବାକୁ ବାଧ୍ୟ ହେଉଛନ୍ତି। ଏଥିରେ ବ୍ୟବସାୟ ଅନୁକୂଳ ସଂସ୍କାର ଏବଂ ବୃହତ୍ ଭିତ୍ତିଭୂମି ପ୍ରକଳ୍ପ ଅନ୍ତର୍ଭୁକ୍ତ।
ଏହାର ପରିଣାମରେ ବିଚାରଧାରା ବା ପରିଚୟଭିତ୍ତିକ ‘ଗଣଦଳ’ଗୁଡିକ ମଧ୍ୟମ ପନ୍ଥୀ ‘ସର୍ବଗ୍ରାହୀ ଦଳ’ଭାବେ ରୂପାନ୍ତରିତ ହୋଇଗଲେ। ପରବର୍ତ୍ତୀ ସମୟରେ ପ୍ରଯୁକ୍ତିବିଦ୍ୟା ଆଧାରିତ ସିଧାସଳଖ ନଗଦ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ଆସିବାରୁ,ସର୍ବଗ୍ରାହୀ ଦଳମାନେ ‘ନିର୍ବାଚନ-ପେସାଦାର ଦଳ’ରେ ରୂପାନ୍ତରିତ ହେବାପାଇଁ ପଥ ପ୍ରସ୍ତୁତ ହୋଇଗଲା। ରାଜନୈତିକ ବିଶ୍ଳେଷକଙ୍କ ଭାଷାରେ, ପେସାଦାର ଦଳମାନଙ୍କର ‘ପ୍ରଯୁକ୍ତି ବିଦ୍ୟା-ସାମନ୍ତବାଦୀ’ ନେତାମାନଙ୍କୁ ବିଶାଳ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କ ସହ ଯୋଡ଼ିବା ପାଇଁ ଏକ ସମାନ୍ତରାଳ ପେସାଦାର ସାଂଗଠନିକ ଢାଞ୍ଚା ଅପରିହାର୍ଯ୍ୟ ହୋଇପଡ଼ିଛି।
ପଶ୍ଚିମବଙ୍ଗରେ କରାଯାଇଥିବା ଏକ କ୍ଷେତ୍ର ଅଧ୍ୟୟନରୁ ଜଣାପଡ଼ିଛି ଯେ, ଟିଏମ୍‌ସିର ଦଳୀୟ କର୍ମୀମାନଙ୍କ ଭୂମିକାରେ ପରିବର୍ତ୍ତନ ଘଟିଛି। ପୂର୍ବରୁ ସେମାନେ ସରକାରୀ ସୁବିଧା ଓ ଯୋଜନାର ଲାଭ ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ, ସେଗୁଡିକର ତଦାରଖ କରୁଥିଲେ। ଏବେ ଏହି କାର୍ଯ୍ୟ ପେସାଦାରଙ୍କ ହାତକୁ ଚାଲିଯାଇଥିବାରୁ କର୍ମୀମାନେ ମୁଖ୍ୟତଃ ନିର୍ବାଚନ ସମୟରେ ଭୋଟରଙ୍କୁ ସଂଗଠିତ କରିବାରେ ନିୟୋଜିତ ହେଉଛନ୍ତି।
ତାମିଲନାଡୁରେ ମଧ୍ୟ ଏହି ପେସାଦାର ପ୍ରକ୍ରିୟାର ପ୍ରଭାବ ଦେଖିବାକୁ ମିଳିଛି। ଏମ୍‌.କେ. ଷ୍ଟାଲିନଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ବା ‘ସିଇଓ’ ଶୈଳୀର ନେତୃତ୍ୱ ଦ୍ରାବିଡ଼ ମୁନେତ୍ର କଳଗମ୍‌ (ଡିଏମ୍‌କେ)କୁ ଏକ ସ୍ବାଭାବିକ ରାଜନୈତିକ ସଂଗଠନରୁ ପରିବର୍ତ୍ତନ କରି ଏକ କେନ୍ଦ୍ରୀଭୂତ, ଶୃଙ୍ଖଳିତ ଓ ଜନକଲ୍ୟାଣ ଯୋଜନା ଆଧାରିତ ‘ନିର୍ବାଚନ ମେସିନ’ରେ ପରିଣତ କରିଛି। ପୂର୍ବରୁ ଏହି ଦଳର ପରିଚାଳନାରେ ଜିଲ୍ଲା ସମ୍ପାଦକମାନଙ୍କର ପ୍ରଭାବ ଓ ସ୍ୱାଧୀନତା ରହିଥିଲା। ଏବେ ନେତୃତ୍ୱର କେନ୍ଦ୍ରୀଭୂତକରଣ ଯୋଗୁ ସେହି ସ୍ୱରୂପ ବଦଳିଛି |
କେରଳରେ ପିନାରାୟୀ ବିଜୟନ୍‌ଙ୍କ ନେତୃତ୍ୱରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ପରିବର୍ତ୍ତନକୁ ମଧ୍ୟ ଏହି ଧାରାର ଅନ୍ୟ ଏକ ଉଦାହରଣ ଭାବେ ଦେଖାଯାଇପାରେ। ତାଙ୍କର ବ୍ୟକ୍ତିକୈନ୍ଦ୍ରିକ ପରିଚାଳନା ଶୈଳୀ ଦଳକୁ ଏକ ଅଧିକ ଶୃଙ୍ଖଳିତ ସଂଗଠନରେ ପରିଣତ କରିଛି।
ଏମ୍‌.କେ. ଷ୍ଟାଲିନ୍‌, ପିନାରାୟୀ ବିଜୟନ୍‌ ଓ ମମତା ବାନାର୍ଜୀ ନିଜ ଦଳଗୁଡ଼ିକୁ କର୍ମୀଭିତ୍ତିକ ସଂଗଠନରୁ ନିର୍ବାଚନ-ପେସାଦାର ଦଳରେ ପରିଣତ କରି କିଛି ସଫଳତା ହାସଲ କରିଥିଲେ ମଧ୍ୟ ଅନେକ ନିର୍ବାଚନୀ ଦୁର୍ବଳତାକୁ ଲୁଚାଇ ରଖିଥିଲା। କେବଳ ଦଳର ପରିଚାଳନାକୁ ଗୁରୁତ୍ୱ ଦେଉଥିବା, ଅଥଚ ବିଚାରଧାରା ଦୃଷ୍ଟିରୁ ଦୁର୍ବଳ ହୋଇଯାଉଥିବା ରାଜନୀତିର ଏକ ବଡ଼ ଅସୁବିଧା ହେଲା ଯେ,ଏହା ଭୋଟରଙ୍କୁ ରାଜନୈତିକ ଦୃଷ୍ଟିରୁ ନିଷ୍କ୍ରିୟ କରିଦେଇ ଥାଏ। ଫଳରେ ସେମାନେ ବିକଳ୍ପ ଖୋଜୁ ଥାଆନ୍ତି। କେବେ ଜଣେ ଲୋକପ୍ରିୟତାବାଦୀ ବା ପାରମ୍ପରିକ ରାଜନୀତି ବାହାରର ନେତା ପାଇଗଲେ, ତାଙ୍କ ଆଡ଼କୁ ମୁହାଁନ୍ତି- ଯେପରି ତାମିଲନାଡୁରେ ସି. ଜୋସେଫ୍ ବିଜୟଙ୍କ ତାମିଲଗା ଭେଟ୍ରି କଳଗମ୍‌ (ଟିଭିକେ)ଅଥବା ଆସାମରେ ଭାଜପା।
କେରଳରେ ଭୋଟରମାନେ ପାରମ୍ପରିକ ବିକଳ୍ପ ଭାବେ କଂଗ୍ରେସକୁ ବାଛିଛନ୍ତି। କିନ୍ତୁ ଏବେ ବିରୋଧୀ ଦଳରେ ଥିବା ପରିବର୍ତ୍ତିତ ଓ ଦୁର୍ବଳ ସିପିଆଇ(ଏମ୍‌) ବଢ଼ୁଥିବା ବିଜେପିର ପ୍ରଭାବରୁ ନିଜ ରାଜନୈତିକ ସ୍ଥାନକୁ ସୁରକ୍ଷିତ ରଖିପାରିବ କି ନାହିଁ, ତାହା ଏବେ ବି ସ୍ପଷ୍ଟ ନୁହେଁ। ତ୍ରିପୁରା ଓ ପଶ୍ଚିମବଙ୍ଗରେ କଂଗ୍ରେସଯେପରି ଦଳକୁ ସଜାଡିବାରେ ବିଫଳ ହୋଇଛି, କେରଳରେ ମଧ୍ୟ ସେହି ଦୁର୍ଦ୍ଦଶାର ସମ୍ମୁଖୀନ ହେବ କି ନାହିଁ, ତାହା ଭବିଷ୍ୟତ ହିଁ କହିବ।
📲Get App