🔥 TRENDING ਕਈ ਸਕੂਲਾਂ, ਕਾਲਜਾਂ ਵਿਚ ਛੁੱਟੀ, ਪਰਵਿੰਦਰ ਝ... ભચાઉના કરમરિયા ગામે તળાવમાં ફસાયેલી વા... फारबिसगंज कॉलेज चौक पर अतिक्रमण: बाईपा... પત્નીએ 'ટીબી'નું બહાનું કાઢી પ્રેમી સા... श्रीकांत पाल रायपुर को भाजपा पिछड़ा वर... पूर्व मंत्री के ओएसडी को इंदौर-भोपाल ट...
14 Oct 2026•
ગુજરાતી मराठी ਪੰਜਾਬੀ বাংলা
ଶିକ୍ଷକଙ୍କୁ ପୂଜା ଭେଟି : ନୂଆ ସର୍ଭିସ ରୁଲସକୁ ମଞ୍ଜୁରୀ, ବରିଷ୍ଠତା ବିବାଦ ତୁଟିଲା, ହିନ୍ଦି-ସଂସ୍କୃତ ଶିକ୍ଷକଙ୍କୁ ରାଜ୍ୟ କ୍ୟାଡ଼ର ମାନ୍ୟତା
Politics

ଶିକ୍ଷକଙ୍କୁ ପୂଜା ଭେଟି : ନୂଆ ସର୍ଭିସ ରୁଲସକୁ ମଞ୍ଜୁରୀ, ବରିଷ୍ଠତା ବିବାଦ ତୁଟିଲା, ହିନ୍ଦି-ସଂସ୍କୃତ ଶିକ୍ଷକଙ୍କୁ ରାଜ୍ୟ କ୍ୟାଡ଼ର ମାନ୍ୟତା

✍️ Reporter: Deepak Mahapatra 🗓 14 Oct 2026, 01:08 PM 👁 13
Share: 💬 WhatsApp 📘 Facebook 𝕏 Post
ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ ଶିକ୍ଷକମାନଙ୍କୁ ରାଜ୍ୟ ସରକାର ଦଶହରା ପୂଜା ଭେଟି ଦେଇଛନ୍ତି । ସେମାନଙ୍କର ଦୀର୍ଘଦିନର ଦାବିକୁ ଗ୍ରହଣ କରି ନୂଆ ସର୍ଭିସ ରୁଲସକୁ ମଞ୍ଜୁରୀ ସହ ହିନ୍ଦି-ସଂସ୍କୃତ ଶିକ୍ଷକଙ୍କୁ ରାଜ୍ୟ କ୍ୟାଡ଼ର ମାନ୍ୟତା ଓ ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ବରିଷ୍ଠତା ବିବାଦର ସମାଧାନ କରିଛନ୍ତି । ଏସବୁ ପ୍ରସ୍ତାବ ସମେତ ମୋଟ ୧୬ଟି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସରକାରୀ ହାଇସ୍କୁଲ ଶିକ୍ଷକମାନଙ୍କ ସେବା ସମ୍ବନ୍ଧୀୟ ଦୀର୍ଘଦିନର ଅସଙ୍ଗତିକୁ ସମାଧାନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ୧୯୯୩ ମସିହାର ପୁରୁଣା ନିୟମକୁ ବଦଳାଇ ନୂତନ \"ଓଡ଼ିଶା ମାଧ୍ୟମିକ ଶିକ୍ଷା (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତାବଳୀ) ରୁଲସ୍ - ୨୦୨୬' ପ୍ରଣୟନକୁ ଅନୁମୋଦନ ଦେଇଛନ୍ତି। ଏହି ନୂଆ ରୁଲସ୍ ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ସମସାମୟିକ ମାନଦଣ୍ଡ ଅନୁଯାୟୀ ହେବା ସହ ଏକ ସମାନ ରାଜ୍ୟସ୍ତରୀୟ କ୍ୟାଡର ବ୍ୟବସ୍ଥା ସୃଷ୍ଟି ହେବ। ବିଶେଷକରି ହାଇସ୍କୁଲର ହିନ୍ଦି ଓ ସଂସ୍କୃତ ଶିକ୍ଷକମାନଙ୍କୁ ରାଜ୍ୟସ୍ତରୀୟ କ୍ୟାଡର ମାନ୍ୟତା ସହିତ ପଦୋନ୍ନତି ସୁବିଧା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
ସେହିପରି ପ୍ରାଥମିକ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟରତ ଶିକ୍ଷକ ଓ ଅଧିକାରୀମାନଙ୍କ ବରିଷ୍ଠତା ନିର୍ଦ୍ଧାରଣକୁ ନେଇ ଥିବା ବିବାଦର ସ୍ଥାୟୀ ସମାଧାନ କରାଯାଇଛି। 'ଓଡ଼ିଶା ପ୍ରାଥମିକ ଶିକ୍ଷା (ନିଯୁକ୍ତି ପଦ୍ଧତି ଏବଂ ଶିକ୍ଷକ ଓ ଅଧିକାରୀମାନଙ୍କ ସେବା ସର୍ତ୍ତାବଳୀ) ନିୟମାବଳୀ, ୧୯୯୭' ର ନିୟମ-୧୫(୬) ରେ ସଂଶୋଧନ କରାଯାଇଛି। ପୂର୍ବ ନିୟମ ଅନୁସାରେ ସ୍ତର-୨ ବା ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ (ଏବିଇଓ) କ୍ୟାଡରରେ କେବଳ ସେବା ଅବଧି ଆଧାରରେ ବରିଷ୍ଠତା ଧାର୍ଯ୍ୟ ହେଉଥିବାରୁ ଜଣେ କନିଷ୍ଠ କର୍ମଚାରୀ ବରିଷ୍ଠଙ୍କ ଉପରେ ରହିଯାଉଥିଲେ । ଏବେ ଏହି ତ୍ରୁଟି ଦୂର କରାଯାଇ ସ୍ତର-୩ ଚୟନ ତାଲିକାର ସ୍ଥାନ ଅନୁଯାୟୀ ବରିଷ୍ଠତା ସ୍ଥିର କରିବାକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି।
ଶିକ୍ଷା କ୍ଷେତ୍ରକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ 'ନିଃଶୁଳ୍କ ପାଠ୍ୟପୁସ୍ତକ ଯୋଗାଣ' ଯୋଜନାକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଯେଉଁଥିରେ ଆଗାମୀ ୫ ବର୍ଷ ପାଇଁ ୨୮୪.୦୭ କୋଟି ଟଙ୍କା ବ୍ୟୟରେ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀର ୨୮.୭୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ (ଏସସି/ଏସଟି ବ୍ୟତୀତ) ମାଗଣାରେ ବହି ଯୋଗାଇ ଦିଆଯିବ।
ଶିକ୍ଷା ବ୍ୟତୀତ ରାଜ୍ୟର ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ କ୍ୟାବିନେଟରେ ବଡ଼ ଘୋଷଣା କରାଯାଇଛି । ରାଜ୍ୟର ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ଯୁଗପଯୋଗୀ ଭାବେ ପ୍ରଶିକ୍ଷିତ କରିବା ପାଇଁ କ୍ୟାବିନେଟ୍ ୪୫୦ କୋଟି ଟଙ୍କାର ବ୍ୟୟବରାଦରେ "ଦକ୍ଷତା ବିକାଶ ଯୋଜନା'କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ୨୦୨୬-୨୭ରୁ ୨୦୨୮-୨୯ ଆର୍ଥକ ବର୍ଷ ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ଏହି ଯୋଜନା ଜରିଆରେ ୩ ଲକ୍ଷ ଯୁବବର୍ଗଙ୍କୁ କୃତ୍ରିମ ବୁଦ୍ଧିମତା(ଏଆଇ), କ୍ଲାଉଡ୍ କମ୍ପ୍ୟୁଟିଂ, ଡାଟା ଆନାଲିଟିକ୍ସ ଓ ସାଇବର ସୁରକ୍ଷା ଭଳି ଉଦୀୟମାନ କ୍ଷେତ୍ରରେ ଡିଜିଟାଲ୍ ତାଲିମ ଦିଆଯିବ।
ଏହାସହ ୧.୧୭ ଲକ୍ଷଙ୍କୁ ସ୍ୱଳ୍ପମିଆଦୀ ପ୍ରଶିକ୍ଷଣ, ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍କିଲ୍ ହବ୍ ସ୍ଥାପନ, ଜର୍ମାନ ଓ ଜାପାନୀ ଭାଷା ଶିକ୍ଷା ସହିତ ବିଦେଶ ନିଯୁକ୍ତି ସହାୟତା ଓ ଦିବ୍ୟାଙ୍ଗ ତଥା ଜେଲ୍ ଅନ୍ତେବାସୀଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏହି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ପରିଚାଳନା କରିବାକୁ ୪୦ ଜଣ ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋ ନିୟୋଜିତ ହେବା ସହ "ସ୍କିଲ୍‌ଡ-ଇନ୍‌-ଓଡ଼ିଶା ଡିଜିଟାଲ୍ ହବ୍‌' ସ୍ଥାପନ ହେବ।
ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ଉନ୍ନତ ବିହନ ଓ ସାର ଯୋଗାଇବା ପାଇଁ ଓଡ଼ିଶା ରାଜ୍ୟ ବିହନ ନିଗମ ଓ ଓଡ଼ିଶା ରାଜ୍ୟ ସମବାୟ ମାର୍କେଟିଂ ଫେଡେରେସନକୁ ୧୩୬୦ କୋଟି ଟଙ୍କାର ସୁଧମୁକ୍ତ କର୍ପସ୍ ପାଣ୍ଠି ମଞ୍ଜୁର କରାଯାଇଛି। ସହରୀ ଭିତ୍ତିଭୂମିର ଉନ୍ନତି ପାଇଁ କଟକ ମହାନଦୀ ରିଭରଫ୍ରଣ୍ଟ ସମନ୍ୱିତ ବିକାଶ ପ୍ରକଳ୍ପ ଲାଗି ୧୩୩.୭୧ କୋଟି ଟଙ୍କା ଓ ବଲାଙ୍ଗିର ସଇଁତଳାରେ ଇନଷ୍ଟ୍ରିମ୍ ଜଳାଶୟ ନିର୍ମାଣ ପାଇଁ ୧୦୫.୬୨ କୋଟି ଟଙ୍କାର ଟେଣ୍ଡର ଅନୁମୋଦିତ ହୋଇଛି।
ଏହାସହ କେନ୍ଦୁଝରସ୍ଥିତ ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ପ୍ରାୟ ୧୭୬.୮୩ କୋଟି ଟଙ୍କା ବ୍ୟୟରେ ଏକ ଡିଜିଟାଲ୍ ବିପର୍ଯ୍ୟୟ ପୁନରୁଦ୍ଧାର-ସହ-ତଥ୍ୟ କେନ୍ଦ୍ର ସ୍ଥାପନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି, ଯାହା ସରକାରୀ ଡିଜିଟାଲ୍ ସେବାକୁ ସୁରକ୍ଷିତ ଓ ନିରବଚ୍ଛିନ୍ନ ରଖିବ।
ଜଳସମ୍ପଦ ବିଭାଗରେ ଡିପ୍ଲୋମା ଯନ୍ତ୍ରୀଙ୍କ କ୍ୟାଡର ପୁନର୍ବିନ୍ୟାସ, ଶିଳ୍ପ ନୀତି ୨୦୨୨ ରେ ଷ୍ଟାମ୍ପ ଶୁଳ୍କ ସଂଶୋଧନ ଓ ରାଇରଙ୍ଗପୁରରେ ଡାକ ବିଭାଗର ବିଭିନ୍ନ କାର୍ଯ୍ୟାଳୟ ନିର୍ମାଣ ପାଇଁ ମାଗଣାରେ ଜମି ହସ୍ତାନ୍ତର ଭଳି ବହୁ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି।
ସୂଚନାଯୋଗ୍ୟ, ଆଜି କ୍ୟାବିନେଟ୍ ବୈଠକରେ ୧୧ଟି ବିଭାଗର ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକ ପରେ ଶାସନ ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷର କାର୍ଯ୍ୟକାଳ ପୂର୍ଣ୍ଣ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇ ଓଡ଼ିଶା ରାଜ୍ୟ କ୍ୟାବିନେଟ ରେ ସଂକଳ୍ପ ପାରିତ ହୋଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି। ଶାସନ ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷର କାର୍ଯ୍ୟକାଳ ପୂର୍ଣ୍ଣ ହୋଇଥିବା ଅବସରରେ ତାଙ୍କୁ ଅଭିନନ୍ଦନ ଜଣାଇ ରାଜ୍ୟ କ୍ୟାବିନେଟରେ ଏକ ସଂକଳ୍ପ ପାରିତ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି।
📲Get App