🔥 TRENDING Mangalore officials to draft checklist... Karnataka CM DK Shivakumar says Congre... Rajasthan BJP Announces First-Phase Pa... NDTV Provides Live Updates on Devegane... જામનગરમાં જિયો-બીપીના પેટ્રોલ-ડીઝલના ભ... Delhi Court Allows Google, WhatsApp, B...
12 Oct 2026•
ગુજરાતી मराठी ਪੰਜਾਬੀ বাংলা
ସ୍ୱାମୀଙ୍କ ମୃତ୍ୟୁର ମାସେ ପରେ ସ୍ତ୍ରୀ କଲେ ଏମିତି ଅଭିଯୋଗ, ମାଟି ତଳୁ କଢ଼ାହେଲା ଶବ
Local

ସ୍ୱାମୀଙ୍କ ମୃତ୍ୟୁର ମାସେ ପରେ ସ୍ତ୍ରୀ କଲେ ଏମିତି ଅଭିଯୋଗ, ମାଟି ତଳୁ କଢ଼ାହେଲା ଶବ

✍️ Reporter: Deepak Mahapatra 🗓 12 Oct 2026, 12:00 PM 👁 9
Share: 💬 WhatsApp 📘 Facebook 𝕏 Post
ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଲୁହୁରାଚଟି ପଣ୍ଡକିପାଲି ଗାଁର ଅମୃତ ବର୍ଗେଙ୍କର ମାସେ ତଳେ ମୃତ୍ୟୁ ହୋଇଥିଲା। ପରମ୍ପରା ଅନୁଯାୟୀ ପରିବାର ଲୋକେ ତାଙ୍କ ମୃତଦେହକୁ ଗାତ ଖୋଳି ପୋତି ଦେଇଥିଲେ। କିନ୍ତୁ ଅମୃତ ବର୍ଗେଙ୍କୁ ହତ୍ୟା କରାଯାଇଥିବା ନେଇ ଗତକାଲି ସେମାନେ ଅଭିଯୋଗ କରିବାରୁ ଆଜି ତାଙ୍କ ମୃତଦେହକୁ ଗାତରୁ ବାହାର କରାଯାଇଛି। ବ୍ୟବଚ୍ଛେଦ ପାଇଁ ମୃତଦେହକୁ ବୁର୍ଲା ବଡ଼ ଡାକ୍ତରଖାନାକୁ ପଠାଯାଇଛି।
ସେପ୍ଟେମ୍ବର ମାସ ୮ ତାରିଖରେ ରଜନୀ ସାହୁ ନାମକ ଜଣେ ବ୍ୟକ୍ତି ଅମୃତ ବର୍ଗେଙ୍କୁ ବିଲରେ କାମ କରିବାକୁ ଘରୁ ଡାକି ନେଇଥିଲେ l ସେମାନେ ବାଇକ୍‌ରେ ଯାଇଥିଲେ। ହେଲେ ପ୍ରାୟ ୧୫ ମିନିଟ୍ ପରେ ରଜନୀ ଆସି ଅମୃତଙ୍କ ଘରେ ପହଞ୍ଚିଥିଲେ। ଅମୃତ ଚେତଶୁନ୍ୟ ହୋଇ ଯାଇଥିବା ନେଇ ସେ ତାଙ୍କ ପରିବାରକୁ ଖବର ଦେଇଥିଲେ। ଏହା ସହିତ ଅମୃତଙ୍କ ପତ୍ନୀ ଓ ଝିଅଙ୍କୁ ବାଇକ୍‌ରେ ବସାଇ ଘଟଣାସ୍ଥଳକୁ ନେଇଥିଲେ ରଜନୀ। ସେମାନେ ପହଞ୍ଚିବା ପରେ ଏକ ଅଟୋରେ ଅମୃତଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ମାସେ ପରେ ଅମୃତ ବର୍ଗେଙ୍କ ମୃତ୍ୟୁ ଘଟଣା ନେଇଥିଲା ନୂଆମୋଡ଼। ତାଙ୍କୁ ମାରି ଦିଆଯାଇଥିବା ନେଇ ଅଭିଯୋଗ କରିଥିଲେ ତାଙ୍କ ପତ୍ନୀ। ସେ ପ୍ରଥମେ ଏକଥା ତାଙ୍କ ଝିଅଙ୍କୁ କହିଥିଲେ। ଏହା ପରେ ଗତକାଲି ଏ ସଂପର୍କରେ ସୋହେଲା ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ୍ ମାମଲା ରୁଜୁ କରି ଆଜି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୋତା ଯାଇଥିବା ଶବକୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ଅମୃତଙ୍କ ଝିଅ କହିଛନ୍ତି ଯେ ବାପାଙ୍କ ମୃତଦେହ ଡାକ୍ତରଖାନାରେ ଥିବା ବେଳେ ରଜନୀ ସାହୁ ତାଙ୍କ ମା’ଙ୍କୁ ଏହି ଘଟଣା ବିଷୟରେ କାହାକୁ ନ ଜଣାଇବାକୁ କହିଥିଲା। ସେ ତାଙ୍କୁ ମାରିଦେବାକୁ ଧମକ ଦେବା ସହିତ ଟଙ୍କା ଲୋଭ ଦେଖାଇ ମାମଲାକୁ ରଫାଦଫା କରିବାକୁ ପ୍ରୟାସ କରିଥିଲେ। ମା’ ସେତେବେଳେ ଡରିଯାଇ ଏସବୁ କଥା କହି ନଥିଲା ବେଳେ ଏବେ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ ତାଙ୍କ ପରିବାରର ପରମ୍ପରା ଅନୁଯାୟୀ ସେମାନେ ତାଙ୍କ ବାପାଙ୍କ ମୃତଦେହକୁ ପୋତିବାକୁ ବ୍ୟବସ୍ଥା କରୁଥିବା ବେଳେ ରଜନୀ ସାହୁ ଓ ତା’ ସହଯୋଗୀମାନେ ଶବକୁ ପୋଡ଼ିବା ପାଇଁ ବାରମ୍ବାର କହିଥିଲେ। କିନ୍ତୁ ଆମେ ସମସ୍ତେ ମୃତଦେହକୁ ପୋତାଯିବ ବୋଲି କହିବାରୁ ସେମାନେ ଚୁପ୍ ରହିଥିଲେ।
ବରଗଡ଼ ଏସ୍‌ପି ରବୀନ୍ଦ୍ରନାଥ ଶତପଥୀ କହିଛନ୍ତି ଯେ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଅମୃତ ବର୍ଗେଙ୍କୁ ରଜନୀ ସାହୁ ଓ ତାଙ୍କର ସହଯୋଗୀମାନେ ପିଟି ପିଟି ମାରି ଦେଇଛନ୍ତି। କିନ୍ତୁ ସେହି ସମୟରେ ଘଟଣାସ୍ଥଳ ଆଖପାଖରେ ଲୋକେ କହିଛନ୍ତି ଯେ ଅମୃତ ବର୍ଗେ କାମ କରୁଥିବା ବେଳେ ଅଚେତ ହୋଇପଡ଼ିଯାଇଥିଲେ। ତେଣୁ ତାଙ୍କ ମୃତଦେହକୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତଦନ୍ତ ଶେଷ ହେବା ପରେ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବ।
📲Get App