🔥 TRENDING ઉના નજીક કારની ટક્કરથી બે વિદ્યાર્થિની... चुनाव आयोग के खिलाफ विपक्ष का प्रदर्शन... दुर्गा पूजा की भव्य और सुरक्षित तैयारि... Chhattisgarh High Court Upholds Divorc... Raipur Employment Fair Selections: 5,0... Jadeja Selected for Saurashtra Squad A...
09 Oct 2026•
ગુજરાતી मराठी ਪੰਜਾਬੀ বাংলা
ପୁରୀ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦରକୁ କେନ୍ଦ୍ରର ସବୁଜ ସଙ୍କେତ: ମିଳିଲା ପରିବେଶ ଓ ସିଆରଜେଡ୍ ମଞ୍ଜୁରୀ, ନିର୍ମାଣ କାର୍ଯ୍ୟ ଆରମ୍ଭ ଖୁବ୍‌ଶୀଘ୍ର
Business

ପୁରୀ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦରକୁ କେନ୍ଦ୍ରର ସବୁଜ ସଙ୍କେତ: ମିଳିଲା ପରିବେଶ ଓ ସିଆରଜେଡ୍ ମଞ୍ଜୁରୀ, ନିର୍ମାଣ କାର୍ଯ୍ୟ ଆରମ୍ଭ ଖୁବ୍‌ଶୀଘ୍ର

✍️ Reporter: Deepak Mahapatra 🗓 09 Oct 2026, 12:38 PM 👁 18
Share: 💬 WhatsApp 📘 Facebook 𝕏 Post
ଆବଶ୍ୟକ ସମସ୍ତ ବୈଧାନିକ କ୍ଲିୟରାନ୍ସ ମିଳିସାରିଥିବାରୁ ପବ୍ଲିକ-ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ମୋଡରେ ଖୁବ୍‌ଶୀଘ୍ର ଶ୍ରୀକ୍ଷେତ୍ର ପୁରୀରେ ଏହି ଆନ୍ତର୍ଜାତିକ ଗ୍ରୀନଫିଲ୍ଡ ବିମାନବନ୍ଦରର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି।ଶ୍ରୀକ୍ଷେତ୍ର ପୁରୀରେ ଆନ୍ତର୍ଜାତିକ ଗ୍ରୀନଫିଲ୍ଡ ବିମାନ ବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ସରକାର ସବୁଜ ଦେଇଛନ୍ତି। ପୁରୀ ଜିଲ୍ଲାର ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସିପସରୁବାଲିଠାରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତିକ ବିମାନବନ୍ଦର ପ୍ରକଳ୍ପକୁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଚୂଡ଼ାନ୍ତ ପରିବେଶ ମଞ୍ଜୁରୀ ସହ ଉପକୂଳ ନିୟାମକ କ୍ଷେତ୍ର (ସିଆରଜେଡ୍‌) କ୍ଲିୟରାନ୍ସ ପ୍ରଦାନ କରାଯାଇଛି।
କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ, ଓଡ଼ିଶା ଉପକୂଳ କ୍ଷେତ୍ର ପରିଚାଳନା କର୍ତ୍ତୃପକ୍ଷ ଓ ଜଙ୍ଗଲ ବିଭାଗରୁ ଆବଶ୍ୟକ ସମସ୍ତ ବୈଧାନିକ କ୍ଲିୟରାନ୍ସ ମିଳିସାରିଥିବାରୁ ପବ୍ଲିକ-ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ମୋଡରେ ଖୁବ୍‌ଶୀଘ୍ର ଏହି ବିମାନବନ୍ଦରର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ପ୍ରାୟ ୨୨୦୩ କୋଟି ଟଙ୍କାର ବ୍ୟୟରେ ୪୭୧.୩୪୮ ହେକ୍ଟର(ପ୍ରାୟ ୧୧୬୪.୭୨ଏକର) ପରିମିତ ଜମିରେ ନିର୍ମାଣ ହେବାକୁ ଥିବା ଏହି ବିମାନବନ୍ଦର ରାଜ୍ୟର ପର୍ଯ୍ୟଟନ, ଅର୍ଥନୀତି ତଥା ରୋଜଗାର କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରକୁ ବିଶ୍ୱର ଅନ୍ୟ ଭାଗ ସହ ସିଧାସଳଖ ଆକାଶମାର୍ଗରେ ଯୋଡ଼ିବ।
କେନ୍ଦ୍ର ସରକାରଙ୍କ ଏକ୍ସପର୍ଟ ଆପ୍ରାଇଜାଲ୍ କମିଟି (ଇଏସି)ର ବିସ୍ତୃତ ସମୀକ୍ଷା ଓ ସୁପାରିସ ଆଧାରରେ ପରିବେଶ ଓ ସିଆରଜେଡ୍ କ୍ଲିଅରାନ୍ସ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି ବିମାନବନ୍ଦର ବିକାଶ ପାଇଁ ପ୍ରାୟ ୨୨୦୩ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବାବେଳେ ବାର୍ଷିକ ପ୍ରାୟ ୪୬ ଲକ୍ଷ ଯାତ୍ରୀ ଯାତାୟାତ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। କେନ୍ଦ୍ର ପରିବେଶ,ଜଙ୍ଗଲ ଓ ଜଳବାୟ ପରିବର୍ତ୍ତନ ମନ୍ତ୍ରଣାଳୟର ସଦସ୍ୟ ସଚିବ ମୁନ୍ନା କୁମାର ଶାହ(ଇସି) ସେପ୍ଟେମ୍ବର ୩୦ତାରିଖରେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଏହି ଅନୁମତି ଦେଇଥିବା ଜଣାପଡ଼ିଛି ।
ଏଠାରେ ୩୭୦୦ ମିଟର ଲମ୍ବର ବିଶାଳ ରନୱେ, ୫୪ହଜାର ବର୍ଗମିଟରର ଅତ୍ୟାଧୁନିକ ଇଣ୍ଟିଗ୍ରେଟେଡ ଟର୍ମିନାଲ ବିଲ୍ଡିଂ,ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ବିଲ୍ଡି, କାର୍ଗୋ ଟର୍ମିନାଲ, ଏୟାରବସ ଏ-୩୫୦ ଓ ବୋଇଂ-୭୭୭ ଭଳି ବିଶାଳକାୟ ଆନ୍ତର୍ଜାତିକ ବିମାନ ଅବତରଣର ସୁବିଧା ରହିବ। ପ୍ରକଳ୍ପ ନିର୍ମାଣ ସମୟରେ ପ୍ରାୟ ୧୫୫୦ ଜଣ କର୍ମଚାରୀ(୫୦ ଜଣ ସ୍ଥାୟୀଙ୍କୁ ମିଶାଇ) ଓ ପରିଚାଳନା ପର୍ଯ୍ୟାୟରେ ପ୍ରାୟ ୧୧୮୬ଜଣ କର୍ମଚାରୀ(୧୮୬ଜଣ ସ୍ଥାୟୀ କର୍ମଚାରୀଙ୍କୁ ମିଶାଇ)ଙ୍କୁ ନିଯୁକ୍ତି ମିଳିବା ସହିତ ସ୍ଥାନୀୟ ହୋଟେଲ, ପରିବହନ ଓ ପର୍ଯ୍ୟଟନ ଶିଳ୍ପରେ ବ୍ୟାପକ ରୋଜଗାର ସୃଷ୍ଟି ହେବ ବୋଲି ଡିପିଆରରେ ଉଲ୍ଲେଖ ରହିଛି।
ଏହି ବିମାନ ବନ୍ଦର ପ୍ରକଳ୍ପ ପାଇଁ କୌଣସି ଜନବସତି ବିସ୍ଥାପିତ ହେବେ ନାହିଁ, କିନ୍ତୁ ଜମି ହରାଉଥିବା ୬୦ଟି ପ୍ରଭାବିତ ପରିବାରକୁ ଆଇନ ଅନୁଯାୟୀ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବ। ୨୦୨୪ ମାର୍ଚ୍ଚ ୪ତାରିଖ ଜନଶୁଣାଣିବେଳେ ଯେଉଁ ସବୁ ଦାବି ଉପସ୍ଥାପନ ହୋଇଥିଲା ତା’ର ସମାଧାନ ପାଇଁ ୭କୋଟି ଟଙ୍କାର ସିଏସଆର ପାଣ୍ଠି ଖର୍ଚ୍ଚ କରାଯିବାକୁ ନିଷ୍ପତ୍ତି ହୋଇଛି।
ମୋଟ ଚିହ୍ନଟ ଜମି ମଧ୍ୟରେ ୮୭୪.୪୨ ଏକର ସରକାରୀ ଜମି,୨୨୧.୪୮ଏକର ଘରୋଇ ଜମି(ସିପସରୁବାଲି ମୌଜାରୁ ୧୫୩.୩୭ଏକର ଓ ସାନ୍ଧପୁର ମୌଜାରୁ ୬୮.୧୧ଏକର), ରାଜସ୍ୱ ଜଙ୍ଗଲ ଜମି ୬୮.୮୩ଏକର ରହିଛି । ପରିବେଶ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ମନ୍ତ୍ରଣାଳୟ କେତେକ କଡ଼ା ସର୍ତ୍ତ ଧାର୍ଯ୍ୟ କରିଛି। ଉପକୂଳ ସୁରକ୍ଷା ପାଇଁ କୌଣସି ନିର୍ମାଣ ନିଷିଦ୍ଧାଂଚଳ (ସିଆରଜେଡ୍‌-ଆଇଆଇଆଇଏ) ରେ କାର୍ଯ୍ୟ ହେବନାହିଁ। ସମୁଦ୍ର କୂଳକୁ ବାତ୍ୟା ଓ ଅବକ୍ଷୟରୁ ରକ୍ଷା କରିବା ପାଇଁ ଝାଉଁ ଗଛ ଲଗାଇ ଏକ ପ୍ରାକୃତିକ ‘ବାୟୋ-ସିଲ୍‌ଡ’ ନିର୍ମାଣ ହେବ ଓ ପ୍ରକଳ୍ପ ସମ୍ପୂର୍ଣ୍ଣ ‘ଜିରୋ ଡିସଚାର୍ଜ’ ଭିତ୍ତିରେ ପରିଚାଳିତ ହେବ, ଯାହାଦ୍ୱାରା ବୁନ୍ଦାଏ ହେଲେ ବର୍ଜ୍ୟଜଳ ନିକଟସ୍ଥ ମଙ୍ଗଳା ନଦୀ କିମ୍ବା ସମୁଦ୍ରରେ ମିଶିବ ନାହିଁ। ଜଳ ପରିଚାଳନା ପାଇଁ ପ୍ରତିଦିନ ୧.୩ ଏମଏଲଡି କ୍ଷମତା ବିଶିଷ୍ଟ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ହେବ ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ୧୬୦ କିଲୋୱାଟ୍ ସୌର ପ୍ରକଳ୍ପ ସ୍ଥାପନ ହେବ।
କୋଷ୍ଟାଲ ରେଗୁଲେସନ ଜୋନ୍ ଅଧୀନରେ ଆସୁଥିବା ୩୭.୩୪୫ଏକର ଜମି ମଧ୍ୟରୁ ‘ନୋ ଡେଭଲପମେଣ୍ଟ ଜୋନ୍‌’ ୫ ଡେସିମିଲ ଜମିକୁ ମୁଖ୍ୟ ପ୍ରକଳ୍ପରୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି ଓ ଅବଶିଷ୍ଟ ୩୭.୨୯ଏକର ଅଂଚଳରେ କୌଣସି ପ୍ରକାରର କଂକ୍ରିଟ୍ ନିର୍ମାଣ ନକରି କେବଳ ବିମାନ ସୁରକ୍ଷା ପାଇଁ କ୍ୟାଟ୍‌-୧ ଆପ୍ରୋଚ୍ ଲାଇଟିଂ ବ୍ୟବସ୍ଥା ଲଗାଯିବ। ବିମାନବନ୍ଦରର ପାଚେରୀ ମୋଟ୍ ୧୧୨୪.୬୨ଏକର ପରିମିତ ଅଂଚଳରେ ନିର୍ମାଣ ହେବ।
ପ୍ରକଳ୍ପ ଅଂଚଳରୁ କଟାଯିବାକୁ ଥିବା ୧୩୫୦୪ଟି ଗଛ ବଦଳରେ କାକଟପୁର ତହସିଲ ଅନ୍ତର୍ଗତ ଆନିପାଟିଆ ଓ ବଣବରଦା ଗାଁରେ ୭୩.୯୮୦ଏକର ଜମିରେ କ୍ଷତିପୂରଣ ବନୀକରଣ ହେବ। ଯେହେତୁ ପ୍ରକଳ୍ପ ଅଂଚଳଠାରୁ ପ୍ରାୟ ୧୦କିମି ପରିଧି ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ରହିଛି, ତେଣୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ଠାରୁ ଆବଶ୍ୟକ ଅନାପତ୍ତି ପ୍ରମାଣପତ୍ର ହାସଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ପ୍ରକଳ୍ପଟି ଇକୋ ସେନ୍ସେଟିଭ ଏରିଆର ୧୦କିମି ପରିସର ମଧ୍ୟରେ ଆସୁନାହିଁ ଓ ପ୍ରକଳ୍ପ ସ୍ଥାନଠୁ ପ୍ରାୟ ୧୧କିମି ଦୂରରେ ବାଲୁଖଣ୍ଡ ଅଭୟାରଣ୍ୟ ରହିଛି। ତଥାପି ଭାରତୀୟ ପ୍ରାଣୀ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ପକ୍ଷୀ ତଥା ଉପକୂଳ ଜୀବଙ୍କ ସୁରକ୍ଷା ସମ୍ପର୍କିତ ଅଧ୍ୟୟନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।
ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନଙ୍କ ରିପୋର୍ଟ ଅନୁସାରେ ୧୦ କିମି ପରିଧି ମଧ୍ୟରେ କୌଣସି ଜାତୀୟ ଉଦ୍ୟାନ ବା ଅଭୟାରଣ୍ୟ ନଥିବା (ବାଲୁଖଣ୍ଡ ପ୍ରାୟ ୧୧ କିଲୋମିଟର ଦୂରରେ ଥିବା) ସ୍ପଷ୍ଟ କରାଯାଇଛି। ଏଥିସହିତ ପ୍ରକଳ୍ପରେ ଆସୁଥିବା ପ୍ରାୟ ୬୮.୮୩ ଏକର ଜଙ୍ଗଲ ଜମିର ପ୍ରଥମ ପର୍ଯ୍ୟାୟ ଡାଇଭର୍ସନ ପ୍ରକ୍ରିୟାକୁ ରାଜ୍ୟ ସରକାର ଓ ଭୁବନେଶ୍ୱରସ୍ଥିତ ଆଂଚଳିକ କାର୍ଯ୍ୟାଳୟ ମାଧ୍ୟମରେ କେନ୍ଦ୍ର ଫରେଷ୍ଟ ଆଡଭାଇଜରି କମିଟିକୁ ସୁପାରିସ କରାଯାଇ ପରିବେଶ ଓ ବନ୍ୟପ୍ରାଣୀ ସୁରକ୍ଷାକୁ ନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ବିମାନ ବନ୍ଦର ପ୍ରକଳ୍ପ ସ୍ଥଳର ବାସ୍ତବ ସ୍ଥିତି ପରଖିବାକୁ ଇଏସିଙ୍କ ସ୍ୱତନ୍ତ୍ର ସବକମିଟି ୨୦୨୫ ଏପ୍ରିଲ ୪ରୁ ୬ତାରିଖ ପର୍ଯ୍ୟନ୍ତ ପୁରୀ ଗସ୍ତ କରି ଜିଲ୍ଲା ପ୍ରଶାସନ, ବନ୍ୟପ୍ରାଣୀ ଡିଏଫଓ ଓ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ, ଯାହାର ଅଡିଟ୍ ରିପୋର୍ଟ ୨୦୨୫ ମେ ୨୨ ରେ ଅନୁଷ୍ଠିତ କମିଟିର ୧୪୩ ତମ ବୈଠକରେ ଉପସ୍ଥାପିତ ହୋଇଥିଲା। ଏହି ପ୍ରକଳ୍ପ ଦ୍ୱାରା ପୁରୀ ତଥା ଉପକୂଳ ଓଡ଼ିଶାରେ ପର୍ଯ୍ୟଟନର ବୃଦ୍ଧି, ହୋଟେଲ ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର ସୃଷ୍ଟି ହୋଇ ଆଂଚଳିକ ଅର୍ଥନୀତି ସୁଦୃଢ଼ ହେବ ବୋଲି ଦର୍ଶାଯାଇଛି।
ସୂଚନାଯୋଗ୍ୟ, ଏହି ବୃହତ୍ ବିମାନ ବନ୍ଦର(Airport In Puri) ପ୍ରକଳ୍ପ ପାଇଁ ୨୦୨୧ ଜାନୁୟାରୀ ମାସରେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ୨୦୨୩ ସେପ୍ଟେମ୍ବର ମାସରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ପ୍ରକଳ୍ପ ସ୍ଥଳକୁ ସାଇଟ୍ କ୍ଲିଅରାନ୍ସ ପ୍ରଦାନ କରିଥିଲେ।
📲Get App