🔥 TRENDING High Court to Hear Giribala Singh's Ba... MP High Court Rules Delayed 498A FIR N... Cheetahs Reintroduced to Veerangana Du... 2,454 Rapes and 600 Murders Recorded i... BJP's West Bengal Victory Boosts Confi... Scrutiny Intensifies Over West Bengal’...
08 Oct 2026•
ગુજરાતી मराठी ਪੰਜਾਬੀ বাংলা
ନିର୍ବାଚନ ପୂର୍ବରୁ ମୋହନଙ୍କ ମାଷ୍ଟରଷ୍ଟ୍ରୋକ୍ : ବିଜେଡିର ‘ଓବିସି ରାଜନୀତି’କୁ ଚେକ୍ ଦେବାକୁ ଗଠନ ହେଲା ‘ଏସଇବିସି’ଙ୍କୁ ଚିହ୍ନଟ ପାଇଁ ‘କମିଶନ'
Politics

ନିର୍ବାଚନ ପୂର୍ବରୁ ମୋହନଙ୍କ ମାଷ୍ଟରଷ୍ଟ୍ରୋକ୍ : ବିଜେଡିର ‘ଓବିସି ରାଜନୀତି’କୁ ଚେକ୍ ଦେବାକୁ ଗଠନ ହେଲା ‘ଏସଇବିସି’ଙ୍କୁ ଚିହ୍ନଟ ପାଇଁ ‘କମିଶନ'

✍️ Reporter: Deepak Mahapatra 🗓 08 Oct 2026, 01:15 PM 👁 10
Share: 💬 WhatsApp 📘 Facebook 𝕏 Post
ପଂଚାୟତ ଓ ପୌରାଂଚଳରେ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗଙ୍କୁ ଚିହ୍ନଟ ତଥା ସେମାନଙ୍କର ରାଜନୀତିକ ପ୍ରତିନିଧିତ୍ୱ, ସ୍ୱରୂପ ଓ ପ୍ରଭାବ ଆକଳନ -ନିର୍ଦ୍ଧାରଣ ପାଇଁ ରାଜ୍ୟ ସରକାର ଆଜି ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କମିଶନ ଗଠନ କରିଛନ୍ତି।ଓଡ଼ିଶାରେ ପଛୁଆ ବର୍ଗ ଭୋଟ୍ ବ୍ୟାଙ୍କକୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା ରାଜନୈତିକ ଛକାପଞ୍ଝା ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ମୋହନ ସରକାରଙ୍କ ଏହି ମାଷ୍ଟରଷ୍ଟ୍ରୋକ୍ ବିଜେଡିର ପାରମ୍ପରିକ ‘ଓବିସି ରାଜନୀତି’କୁ ଚେକ୍ ଦେଇ ସିଧାସଳଖ ସୁପ୍ରିମକୋର୍ଟଙ୍କ ବାଧ୍ୟତାମୂଳକ ‘ଟ୍ରିପଲ୍ ଟେଷ୍ଟ’ ପ୍ରାବଧାନ ଆଧାରରେ ‘ଏସଇବିସି କମିଶନ’ ଗଠନ କରିବା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି।
ପଂଚାୟତ ଓ ପୌରାଂଚଳରେ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗଙ୍କୁ ଚିହ୍ନଟ ତଥା ସେମାନଙ୍କର ରାଜନୀତିକ ପ୍ରତିନିଧିତ୍ୱ ଆକଳନ କରିବା ପାଇଁ ରାଜ୍ୟ ସରକାର ଆଜି ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କମିଶନ ଗଠନ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ରାଜ୍ୟର ଉଭୟ ପଂଚାୟତ ଓ ପୌରାଂଚଳରେ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗ(ଏସଇବିସି)ର ଲୋକଙ୍କ ସଂଖ୍ୟା, ସେମାନଙ୍କର ରାଜନୀତିକ ପ୍ରତିନିଧିତ୍ୱ ଓ ଏସବୁ ସଂସ୍ଥାରେ ସେମାନେ ରାଜନୀତିକ ଦୃଷ୍ଟିରୁ କେତେ ପଛୁଆ ତା’ର ଅନୁଧ୍ୟାନ ପାଇଁ ଏକ କମିଶନ ଗଠନ ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି,ଜନଜାତି ଓ ପଛୁଆ ବର୍ଗ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଏହି କମିଶନର ଅଧ୍ୟକ୍ଷ ଭାବେ ଜଷ୍ଟିସ ପଟ୍ଟନାୟକ ଓ ସଦସ୍ୟ ଭାବେ ରିଟାର୍ଡ ଆଇଏଏସ୍ ବିଜୟ କୁମାର ପୃଷ୍ଟି ଓ ସଦସ୍ୟ ସଚିବ ଭାବେ ବିଭାଗର ସ୍ୱତନ୍ତ୍ର ସଚିବ ସୁଜାତା ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି।
ଏହି କମିଶନ ଉଭୟ ପଂଚାୟତ ଓ ପୌର ସଂସ୍ଥାରେ ଏସଇବିସି ବର୍ଗର ଲୋକସଂଖ୍ୟା ଅନୁପାତ, ସେମାନଙ୍କ ବର୍ତ୍ତମାନର ପ୍ରତିନିଧିତ୍ୱ ଓ ତୁଳନାତ୍ମକ ଭାବେ ପଛୁଆର ପରିମାଣ, ତା’ର ସ୍ୱରୂପ ଓ ପ୍ରଭାବ ମଧ୍ୟ ଅନୁଧ୍ୟାନ କରିବେ। ଯାହାଫଳରେ ରାଜ୍ୟରେ ଏସଇବିସି ବର୍ଗର ଲୋକଙ୍କୁ ପଂଚାୟତ ଓ ପୌର ସଂସ୍ଥାରେ ଉପଯୁକ୍ତ ପ୍ରତିନିଧିତ୍ୱ ଓ ସେମାନଙ୍କର ଅଧିକାରର ଉପଯୁକ୍ତ ବ୍ୟବସ୍ଥା କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ।
ତେବେ ୨୦୨୦ ଫେବୃୟାରୀ ମାସରେ ତତକାଳୀନ ବିଜେଡି ସରକାର ‘ଓବିସି କମିଶନ’ ଗଠନ କରିଥିବାବେଳେ, ବିଜେପି ସରକାର ଓବିସି ବଦଳରେ ‘ଏସଇବିସି’ଙ୍କ ପାଇଁ କମିଶନ କାହିଁକି ଗଠନ କଲେ,ଏହା ଆଇନଗତ ଭାବେ କେତେ ବୈଧ ଓ ଏହା ପଛରେ କ’ଣ କାରଣ ରହିଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଅନ୍ୟପକ୍ଷରେ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ଓଡ଼ିଶାରେ ଆଇନଗତ ବ୍ୟବସ୍ଥା ଅନୁସାରେ ରାଜ୍ୟ ସୂଚୀରେ ସାମ୍ବିଧାନିକ ଭାବେ ଅଲଗା ‘ଓବିସି’ ବର୍ଗ ନାହିଁ, ବରଂ ଓଡ଼ିଶା ଆଇନର ଧାରା ୨-କ ଅନୁଯାୟୀ କେବଳ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ବା ‘ଏସଇବିସି’ହିଁ ବୈଧ ଓ ମାନ୍ୟତାପ୍ରାପ୍ତ ବର୍ଗ।
୨୦୨୦ ଫେବୃଆରୀ ମାସରେ ତତ୍କାଳୀନ ନବୀନ ପଟ୍ଟନାୟକଙ୍କ ସରକାର ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ ଆଇନ, ୧୯୯୩ର ଧାରା ୩ ଅଧୀନରେ ଜଷ୍ଟିସ ରଘୁନାଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ କମିଶନ ଗଠନ କରିଥିଲେ । ସେହି କମିଶନ ମୂଳତଃ ଏକ ସ୍ଥାୟୀ ସାମ୍ବିଧାନିକ ଢାଂଚା ଥିଲା, ଯାହାର ମୁଖ୍ୟ କାମ ଥିଲା ରାଜ୍ୟ ତାଲିକାରେ ଜାତିଗୁଡ଼ିକର ଅନ୍ତର୍ଭୁକ୍ତିକରଣ ବା ବାଦ୍ ପଡ଼ିବା ଅନୁଧ୍ୟାନ କରିବା ଓ ସାମାଜିକ-ଆର୍ଥକ ସର୍ଭେ(OBC Survey) କରିବା। ମାତ୍ର ବିଜେଡି ସରକାର ସେତେବେଳେ ‘ଓବିସି’ ଶବ୍ଦକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରି କେନ୍ଦ୍ର ତାଲିକା ସହିତ ମିଶାଇ ଦେଇଥିଲା।
ବିଜେଡି ସରକାର ୨୦୨୨ ପଂଚାୟତ ଓ ପୌର ନିର୍ବାଚନ ସମୟରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ ‘ଟ୍ରିପଲ ଟେଷ୍ଟ’ ପୂରଣ କରିନଥିବାରୁ ହାଇକୋର୍ଟ ଓ ସୁପ୍ରିମକୋର୍ଟ ରାଜ୍ୟରେ ପଛୁଆ ବର୍ଗଙ୍କ ରାଜନୈତିକ ସଂରକ୍ଷଣକୁ ରଦ୍ଦ କରିଦେଇଥିଲେ । ଫଳରେ ଓଡ଼ିଶାର ପଂଚାୟତ ଓ ପୌର ନିର୍ବାଚନ ବିନା ସଂରକ୍ଷଣରେ ସାଧାରଣ ବର୍ଗ ଭାବେ କରାଯାଇଥିଲା।
ସେହି ଆଇନଗତ ତ୍ରୁଟିକୁ ସୁଧାରିବା ନିମନ୍ତେ ମୋହନ ମାଝୀ ସରକାର କୌଣସି ସାଧାରଣ ଆୟୋଗ ନୁହେଁ, ବରଂ ଟ୍ରିପଲ ଟେଷ୍ଟ ପାଇଁ ଏକ ସ୍ୱତନ୍ତ୍ର କମିଶନ ଭାବେ ଏହି ଏସଇବିସି କମିଶନ ଗଠନ କରିଛନ୍ତି। କମିଶନଙ୍କ ଟର୍ମସ ଅଫ୍ ରେଫରେନ୍ସ ଯାହା ରହିଛି ତାହା ସିଧାସଳଖ ସୁପ୍ରିମକୋର୍ଟଙ୍କ ‘ଟ୍ରିପଲ ଟେଷ୍ଟ’ ସହ ମେଳ ଖାଉଛି।
ଉଲ୍ଲେଖଯୋଗ୍ୟ, କେ. କୃଷ୍ଣମୂର୍ତ୍ତି ଓ ବିକାଶ କିଷନରାଓ ଗାଭାଲି ମାମଲାରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ଯେ, ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା (ପଂଚାୟତ ଓ ପୌରସଂସ୍ଥା ନିର୍ବାଚନ)ରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବାକୁ ହେଲେ 'ଟ୍ରିପଲ ଟେଷ୍ଟ' ବାଧ୍ୟତାମୂଳକ। ପ୍ରଥମତଃ ଏକ ଉତ୍ସର୍ଗୀକୃତ କମିଶନ ଗଠନ କରି ପଂଚାୟତ ଓ ପୌରାଂଚଳରେ ପଛୁଆ ବର୍ଗଙ୍କ ‘ରାଜନୈତିକ ଦୃଷ୍ଟିରୁ ପଛୁଆ’ର ପ୍ରକୃତ ସ୍ୱରୂପ ଓ ପ୍ରଭାବ ନିର୍ଦ୍ଧାରଣ କରିବା, ଦ୍ବିତୀୟତଃ ସେହି ତଥ୍ୟ ଆଧାରରେ ନିର୍ଦ୍ଧିଷ୍ଟ ସିଟ୍ ସଂରକ୍ଷଣ ଅନୁପାତ ସ୍ଥିର ଓ ତୃତୀୟତଃ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କୁ ମିଶାଇ ମୋଟ ସଂରକ୍ଷଣ ଅନୁପାତ ୫୦ପ୍ରତିଶତରୁ ଅଧିକ ଯେପରି ନହେବ ତାହା ସୁନିଶ୍ଚିତ କରିବାକୁ ପଡ଼ିବ।
ଏବେ ସୁପ୍ରିମକୋର୍ଟଙ୍କ ସେହି ଟ୍ରିପଲ ଟେଷ୍ଟକୁ ଦୃଷ୍ଟିରେ ରଖି ମୋହନ ସରକାର ବଡ଼ ରାଜନୀତିକ ଚାଲ୍ ଖେଳିଛନ୍ତି। ଓଡ଼ିଶାରେ ପଛୁଆ ବର୍ଗ ଜନସଂଖ୍ୟା ପ୍ରାୟ ୫୨ ପ୍ରତିଶତରୁ ଅଧିକ। ପୂର୍ବର ନବୀନ ସରକାର ଜାଣିଶୁଣି ‘ଟ୍ରିପଲ ଟେଷ୍ଟ’ ନକରି ପଛୁଆ ବର୍ଗଙ୍କୁ ପଂଚାୟତ ସଂରକ୍ଷଣରୁ ବଂଚିତ କରିଛନ୍ତି ବୋଲି ବିରୋଧୀ ଦଳରେ ଥିବାବେଳେ ବିଜେପି ଅଭିଯୋଗ କରୁଥିଲା।
ଏବେ କ୍ଷମତାକୁ ଆସିବା ପରେ ମୋହନ ମାଝୀ ସରକାର ପ୍ରଥମେ ଇଞ୍ଜିନିୟରିଂ ଓ ମେଡିକାଲ ଶିକ୍ଷାରେ ଏସଇବିସି ଛାତ୍ରଛାତ୍ରୀଙ୍କୁ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଏବେ ପଂଚାୟତ ଓ ପୌରାଂଚଳରେ ଏସଇବିସି ସଂରକ୍ଷଣକୁ ଆଇନଗତ ଭାବେ ଲାଗୁ କରିବା ନିମନ୍ତେ ପଦକ୍ଷେପ ନେଇ ବିଜେପି ମାଷ୍ଟରଷ୍ଟ୍ରୋକ୍ ଦେଇଛି। ବିଜେଡି କେବଳ ଭୋଟ୍ ପାଇଁ ଓବିସି କଥା କହୁଥିବାବେଳେ ବିଜେପି ସାମ୍ବିଧାନିକ ଭାବେ ଏସଇବିସି(SEBC) ବର୍ଗଙ୍କୁ ପ୍ରକୃତ ରାଜନୈତିକ କ୍ଷମତା ଦେଉଛି ବୋଲି ମୋହନ ସରକାର ସନ୍ଦେଶ ଦେଇଛନ୍ତି। ଏହି କମିଶନଙ୍କ ରିପୋର୍ଟ ଆଧାରରେ ତୃଣମୂଳସ୍ତରରେ ସଂରକ୍ଷଣ ଲାଗୁ ହେଲେ, ତାହା ରାଜ୍ୟର ପଂଚାୟତ ରାଜନୀତିରେ ବିଜେଡିର ପାରମ୍ପରିକ ଭୋଟବ୍ୟାଙ୍କକୁ ଓଲଟପାଲଟ କରିବାର ଆଶଙ୍କା ରହିଥିବା ଚର୍ଚ୍ଚା ହେଉଛି।
📲Get App