🔥 TRENDING Abhishek Bachchan Credits Shah Rukh Kh... સુરતમાં નવરાત્રી દરમિયાન કાયદો-વ્યવસ્થ... Government urges banks to boost digita... Zabarvan Legends Series 2.0 Set to Kic... Sikkim Partners with Google to Integra... Two Youths Found Shot Dead on Roadside...
07 Oct 2026•
ગુજરાતી मराठी ਪੰਜਾਬੀ বাংলা
ଓଡ଼ିଶାରେ ବିଜେପିର ନବନିଯୁକ୍ତ ପ୍ରଭାରୀ: ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟକୁ ପ୍ରାଥମିକତା, ପଦାଧିକାରୀଙ୍କୁ ଦେଲେ ପଂଚାୟତ ଦଖଲର ଗୁରୁମନ୍ତ୍ର
Politics

ଓଡ଼ିଶାରେ ବିଜେପିର ନବନିଯୁକ୍ତ ପ୍ରଭାରୀ: ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟକୁ ପ୍ରାଥମିକତା, ପଦାଧିକାରୀଙ୍କୁ ଦେଲେ ପଂଚାୟତ ଦଖଲର ଗୁରୁମନ୍ତ୍ର

✍️ Reporter: Deepak Mahapatra 🗓 07 Oct 2026, 12:48 PM 👁 18
Share: 💬 WhatsApp 📘 Facebook 𝕏 Post

ଆଗାମୀ ପଂଚାୟତ ନିର୍ବାଚନ ଆମ ପାଇଁ କୌଣସି କଠିନ ଟାସ୍କ ନୁହେଁ। ଆମର କର୍ମକର୍ତ୍ତାମାନେ ଏଥିପାଇଁ ପୁରା ପ୍ରସ୍ତୁତ ହୋଇ ରହିଛନ୍ତି। କର୍ମକର୍ତ୍ତାଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଲୋକଙ୍କ ଆଶୀର୍ବାଦରେ ଆଗାମୀ ପଂଚାୟତ ନିର୍ବାଚନରେ ଆମର ନିଶ୍ଚିତ ବିଜୟ ହେବ ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ କହିଛନ୍ତି।

ବିଜେପିର ନବନିଯୁକ୍ତ ରାଜ୍ୟ ପ୍ରଭାରୀ ତଥା ସାଂସଦ ଡି. ପୁରନ୍ଦେଶ୍ୱରୀ ଓ ସହପ୍ରଭାରୀ ସ୍ୱଦେଶ ସିଂ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା ହେବା ପରେ ସରକାର ଓ ସଂଗଠନ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ଦଳକୁ ଅଧିକ ସୁଦୃଢ଼ କରିବା ସହ ଆଗାମୀ ପଂଚାୟତ ନିର୍ବାଚନରେ ବିଜୟ ଧାରା ବଜାୟ ରଖିବା ତାଙ୍କର ପ୍ରାଥମିକତା ହେବ ବୋଲି ପ୍ରଭାରୀ ଶ୍ରୀମତୀ ପୁରନ୍ଦେଶ୍ୱରୀ ଆଜି ସ୍ପଷ୍ଟ କରିଛନ୍ତି। ଏହାସହିତ ଦଳୀୟ ପଦାଧିକାରୀଙ୍କ ସହ ବୈଠକରେ ପଂଚାୟତ ନିର୍ବାଚନ ଜିତିବାର ଗୁରୁମନ୍ତ୍ର ଦେଇଥିବା ଜଣାପଡ଼ିଛି।

ନବନିଯୁକ୍ତ ରାଜ୍ୟ ପ୍ରଭାରୀ ଶ୍ରୀମତୀ ପୁରନ୍ଦେଶ୍ୱରୀ ଓ ସହପ୍ରଭାରୀ ଶ୍ରୀ ସିଂ ଆଜି ବିମାନ ବନ୍ଦରରେ ପହଂଚିବା ପରେ ସେଠାରେ ଉଭୟ ନେତାଙ୍କୁ ଦଳ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଓଡ଼ିଶାରେ ପାଦ ଦେବା ପରେ ନିଜ ପ୍ରତିକ୍ରିୟାରେ ରାଜ୍ୟ ପ୍ରଭାରୀ ଶ୍ରୀମତୀ ପୁରନ୍ଦେଶ୍ୱରୀ କହିଛନ୍ତି ଯେ, ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ବିଜେପିର ପ୍ରଭାରୀ ଭାବେ ଦାୟିତ୍ୱ ମିଳିବା ମୋ’ ପାଇଁ ଅତ୍ୟନ୍ତ ସୌଭାଗ୍ୟର ବିଷୟ। ରାଜ୍ୟରେ ଏବେ ଆମ ସରକାର ଶାସନରେ ଥିବାରୁ ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଆମେ ସର୍ବାଧିକ ଗୁରୁତ୍ୱ ଦେବୁ। ଆଉ ଦଳୀୟ ସଂଗଠନକୁ ଆହୁରି ଅଧିକ ସୁଦୃଢ଼ କରାଯିବ। ଆଗାମୀ ପଂଚାୟତ ନିର୍ବାଚନ ଆମ ପାଇଁ କୌଣସି କଠିନ ଟାସ୍କ ନୁହେଁ। ଆମର କର୍ମକର୍ତ୍ତାମାନେ ଏଥିପାଇଁ ପୁରା ପ୍ରସ୍ତୁତ ହୋଇ ରହିଛନ୍ତି। କର୍ମକର୍ତ୍ତାଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଲୋକଙ୍କ ଆଶୀର୍ବାଦରେ ଆଗାମୀ ପଂଚାୟତ ନିର୍ବାଚନରେ ଆମର ନିଶ୍ଚିତ ବିଜୟ ହେବ। ସହପ୍ରଭାରୀ ସ୍ୱଦେଶ ସିଂଙ୍କ ସହ ମିଶି ଏକାଠି କାମ କରି ଦଳକୁ ଆଗକୁ ନେବୁ ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ କହିଛନ୍ତି।

ସେହିପରି ନବନିଯୁକ୍ତ ସହପ୍ରଭାରୀ ସ୍ୱଦେଶ ସିଂ କହିଛନ୍ତି ଯେ, ଦଳକୁ ଶକ୍ତିଶାଳୀ କରିବା ସହିତ ସାଧାରଣ ଲୋକଙ୍କ ପାଇଁ କାମ କରିବା ଆମର ଲକ୍ଷ୍ୟ। ସମସ୍ତଙ୍କ ସହ ବସି ଆଲୋଚନା କରିବି ଓ ମିଳିମିଶି ଦଳକୁ ଆହୁରି ମଜବୁତ କରିବା ପାଇଁ କାମ କରିବୁ। ନିଜେ ଯୁବମୋର୍ଚ୍ଚାରେ କାମ କରିଛି, ଛାତ୍ର ପରିଷଦରେ କାମ କରିଛି । ଯୁବ ସମାଜ ସହିତ ଦୃଢ଼ ଭାବେ ଠିଆ ହୋଇଛି। ଆଜି ସାରା ଦେଶର ଯୁବ ସମାଜ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ଏକାଠି ହୋଇଛି ଓ ଆମ ସରକାର କରିଥିବା କାମକୁ ସମର୍ଥନ କରୁଛନ୍ତି ବୋଲି ସେ କହିଛନ୍ତି।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ଯେ,'ପୁରନ୍ଦେଶ୍ୱରୀ ଦୀର୍ଘ ସମୟ ଧରି ଓଡ଼ିଶାରେ ସଂଗଠନ ସହ ଜଡ଼ିତ ଅଛନ୍ତି। ତାଙ୍କର ଅଭିଜ୍ଞତା ଓ ଜ୍ଞାନ ଆଧାରରେ ଓଡ଼ିଶାର ପ୍ରାୟ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହିତ ତାଙ୍କର ପରିଚୟ ରହିଛି। ନିର୍ବାଚନ ପୂର୍ବରୁ ଯେଉଁ ରଣନୀତି ପ୍ରସ୍ତୁତ ହେଉଥିଲା, ସେଥିରେ ମଧ୍ୟ ସେ ସକ୍ରିୟ ଭାବେ ଜଡ଼ିତ ଥିଲେ। ତେଣୁ ଓଡ଼ିଶାରେ ତାଙ୍କୁ ସଂଗଠନ ବୁଝିବା ପାଇଁ ଅଧିକ ସମୟ ଲାଗିବ ନାହିଁ । ଆମର ଯେଉଁ ଟିମ୍ ଅଛି, ସେହି ସମସ୍ତ ଟିମକୁ ସାଙ୍ଗରେ ନେଇ ସେ କାମ କରିବେ।

ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରଖି ଆଗକୁ ବଢ଼ିବା ହେଉଛି ମୁଖ୍ୟ ଲକ୍ଷ୍ୟ। ସମସ୍ତଙ୍କୁ ଏକାଠି ନେଇ କାମ କଲେ ହିଁ ସଂଗଠନ ଆହୁରି ମଜବୁତ ହେବ। ସେ ଦାୟିତ୍ୱ ନେବାପରେ ସମସ୍ତଙ୍କ ସହ ପରିଚୟାତ୍ମକ ବୈଠକ, ଚର୍ଚ୍ଚା ଓ ଆଲୋଚନା ହେବ। ମହିଳା ନେତୃତ୍ୱ ଓ ଯୁବ ନେତୃତ୍ୱକୁ ଗୁରୁତ୍ୱ ଦେଇ କେନ୍ଦ୍ରୀୟ ନେତୃତ୍ୱ ଆଗକୁ ବଢ଼ିବାକୁ ଚାହୁଁଛନ୍ତି। ଯୁବକମାନେ ହେଉଛନ୍ତି ଆମ ସଂଗଠନର ଭବିଷ୍ୟତ। ସେମାନଙ୍କୁ ଆଗରେ ସମସ୍ତଙ୍କୁ ସାଙ୍ଗରେ ନେଇ ଦଳ ଆଗକୁ ବଢ଼ିବ ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ହୋଇଥିବା ବୈଠକ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ଯେ,ରାଜ୍ୟ ପଦାଧିକାରୀଙ୍କ ସମେତ ଜିଲ୍ଲା ସଭାପତି, ପ୍ରଭାରୀ ଓ ବିଭିନ୍ନ ମୋର୍ଚ୍ଚାର ସଭାପତିଙ୍କ ସହିତ ନୂଆ ପ୍ରଭାରୀ ଓ ସହପ୍ରଭାରୀ ବୈଠକ କରିଛନ୍ତି। ସଂଗଠନିକ ସ୍ଥିତି ଓ ସେବା ସଂକଳ୍ପ ଅଭିଯାନର କାର୍ଯ୍ୟକ୍ରମକୁ ନେଇ ଆଲୋଚନା ହୋଇଛି। ଆଗାମୀ କାର୍ଯ୍ୟ ପାଇଁ ବି ଯୋଜନା ପ୍ରସ୍ତୁତ ହେଲା। ୭ତାରିଖରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ମୋଦିଜୀ ୨୫ବର୍ଷ ପୂରଣ କରିବେ। ତେଣୁ ବିଗତ ୨୫ ବର୍ଷରେ ଯେଉଁ ସବୁ ସେବା କାର୍ଯ୍ୟ ହୋଇଛି ତାକୁ ନେଇ ଦଳ ଲୋକଙ୍କ ପାଖକୁ ଯିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ସେବା ଜ୍ୟୋତି’ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଆଭାସୀ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

ଏହି ସାଙ୍ଗଠନିକ ବୈଠକ ପୂର୍ବରୁ ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ଭୁବନେଶ୍ୱର ମହାନଗର ନିଗମର ୩୫ ନମ୍ବର ୱାର୍ଡସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ ଆୟୋଜିତ ‘ଆଙ୍ଗନ୍ କି ଉତ୍ସବ’ରେ ଶ୍ରୀମତୀ ପୁରନ୍ଦେଶ୍ୱରୀ ଓ ୪୦ନମ୍ବର ୱାର୍ଡର କାର୍ଯ୍ୟକ୍ରମରେ ସ୍ୱଦେଶ ସିଂହ ଯୋଗ ଦେଇଥିଲେ। ସେଠାରେ ସେମାନେ ଅଙ୍ଗନବାଡ଼ି କର୍ମଚାରୀଙ୍କ ସେବା, ଶିଶୁଙ୍କ ସ୍ୱାସ୍ଥ୍ୟ ଓ ପୋଷଣରେ ସେମାନଙ୍କ ଅବଦାନ ତଥା କେନ୍ଦ୍ର ସରକାରଙ୍କ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ଉଭୟ ପ୍ରଭାରୀ ଓ ସହପ୍ରଭାରୀ ଆସନ୍ତାକାଲି ମଧ୍ୟ ଦଳର ବିଭିନ୍ନ ନେତାଙ୍କୁ ଭେଟି ସାଂଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।
📲Get App