🔥 TRENDING મહીસાગર : કોંગ્રેસ vs ભાજપ - ચૂંટણી કમ... दोमुंहा सांप मामले में मैगलगंज थानेदार... Suhani Shah’s Magic Act Sparks Claims... Rajkummar Rao’s ‘Prahaar’ Trailer High... Rajinikanth Arrives at Mysuru Film Set... Apple iPhone 18 Pro Gains Pocket Film...
30 Sep 2026•
ગુજરાતી मराठी ਪੰਜਾਬੀ বাংলা
Weather

ଓଡ଼ିଶାରେ ନାହିଁ ବଡ଼ ବନ୍ୟା ଆଶଙ୍କା; ହୀରାକୁଦରୁ ମୁଣ୍ଡଳୀ, ସବୁଠି ସ୍ଥିତି ନିୟନ୍ତ୍ରଣରେ

✍️ Reporter: Deepak Mahapatra 🗓 30 Sep 2026, 01:12 PM 👁 14
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଓଡ଼ିଶାରେ ବନ୍ୟା ନେଇ ଆଶଙ୍କା ଭିତରେ ଆସିଲା ଆଶ୍ୱସ୍ତିକର ଖବର। ରାଜ୍ୟର ପ୍ରମୁଖ ନଦୀ ଅବବାହିକାଗୁଡ଼ିକରେ ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି। ଜଳସମ୍ପଦ ବିଭାଗ ପକ୍ଷରୁ ଜାରି ସକାଳ ବୁଲେଟିନ୍‌ରେ ବର୍ତ୍ତମାନ ରାଜ୍ୟରେ କୌଣସି ବଡ଼ ବନ୍ୟା ଆଶଙ୍କା ନଥିବା କୁହାଯାଇଛି। ପ୍ରମୁଖ ନଦୀ ଓ ଜଳଭଣ୍ଡାରର ଜଳସ୍ତର ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି।

ଜଳସମ୍ପଦ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍ ଦିଲୀପ ରାଉତଙ୍କ ସୂଚନା ଅନୁସାରେ, ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୬୫ ଫୁଟ ରହିଛି। ଏହାର ଲାଇଭ୍ ଷ୍ଟୋରେଜ୍ କ୍ଷମତାର ୯୮.୫ ପ୍ରତିଶତ ଜଳ ରହିଥିବା ବେଳେ ୨୬ଟି ଗେଟ୍ ଖୋଲା ରହିଛି। ଏବେ ଜଳଭଣ୍ଡାରରେ ପ୍ରାୟ ୪.୬୨ ଲକ୍ଷ କ୍ୟୁସେକ୍ ଜଳର ଆଗମନ ଓ ନିଷ୍କାସନ ହେଉଛି।

ମହାନଦୀର ଉପରମୁଣ୍ଡ ସରାଡିହିରେ ଜଳ ପ୍ରବାହ ୪.୭୨ ଲକ୍ଷ କ୍ୟୁସେକ୍‌କୁ ହ୍ରାସ ପାଇଛି। ଖଇରମାଳରେ ୬.୬୨ ଲକ୍ଷ ଏବଂ ମୁଣ୍ଡଳୀରେ ୭.୫୪ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହ ରହିଛି। ମୁଣ୍ଡଳୀରେ ଜଳ ପ୍ରବାହ ଚଳିତ ମୌସୁମୀର ସର୍ବାଧିକ ସ୍ତରଠାରୁ ମଧ୍ୟ କମ୍ ରହିଛି।

ସୁବର୍ଣ୍ଣରେଖା ନଦୀର ରାଜଘାଟରେ ଜଳସ୍ତର ୯.୩ ମିଟରକୁ ଖସିଛି। ଏହା ବିପଦ ସଙ୍କେତ ୧୦.୩୬ ମିଟରଠାରୁ ଯଥେଷ୍ଟ କମ୍। ବୈତରଣୀର ଆନନ୍ଦପୁରରେ ମଧ୍ୟ ଜଳସ୍ତର ବିପଦ ସୀମାଠାରୁ ତଳେ ରହିଛି। ଅଖୁଆପଦାରେ ଜଳସ୍ତର କମୁଥିବା ବେଳେ ସ୍ଥିତି ନିୟନ୍ତ୍ରଣରେ ରହିଛି।

ବ୍ରାହ୍ମଣୀ ନଦୀ ଅବବାହିକାରେ ରେଙ୍ଗାଳି ଜଳଭଣ୍ଡାରରେ ଗୋଟିଏ ଗେଟ୍ ଖୋଲା ରହିଛି। ଜେନାପୁରରେ ଜଳସ୍ତର ୧୯.୩୦ ମିଟର ରହିଛି, ଯାହା ବିପଦ ସଙ୍କେତଠାରୁ ତଳେ।

ସେହିପରି ସାଳନ୍ଦୀ, ବୁଢ଼ାବଳଙ୍ଗ, ଜଳକା, ବଂଶଧାରା ଓ ଋଷିକୁଲ୍ୟା ସମେତ ଦକ୍ଷିଣ ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକର ସ୍ଥିତି ମଧ୍ୟ ନିୟନ୍ତ୍ରଣରେ ରହିଛି। ମହାନଦୀର ବିଭିନ୍ନ ଶାଖା ନଦୀରେ ମଧ୍ୟ ବର୍ତ୍ତମାନ ବଡ଼ ବନ୍ୟାର ଆଶଙ୍କା ନାହିଁ। ସମସ୍ତ ଅବବାହିକା ଉପରେ ଜଳସମ୍ପଦ ବିଭାଗ ୨୪ ଘଣ୍ଟିଆ ନଜର ରଖିଥିବା ସୂଚନା ମିଳିଛି।
📲Get App