🔥 TRENDING उन्नाव में मूसलाधार बारिश से जनजीवन अस... LPU Students Protest Against Administr... User Searches for 'deescalatetensions'... TribuneIndia.com Users Search for "Jij... Dr Shiny Devassy featured in Tribune I... Truck rams police SUV in Rewari, drive...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Politics

ବଜେଟ୍ ପାଇଁ ପ୍ରସ୍ତୁତି: ୪୦% ଅର୍ଥ ଖର୍ଚ୍ଚ କରିନଥିଲେ ମିଳିବନି ନୂଆ ପାଣ୍ଠି, ଅକ୍ଟୋବର ୩୧ସୁଦ୍ଧା ପ୍ରସ୍ତାବ ପଠାଇବାକୁ ନିର୍ଦ୍ଦେଶ

✍️ Reporter: Deepak Mahapatra 🗓 23 Sep 2026, 12:18 PM 👁 41
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଯେଉଁ ବିଭାଗଗୁଡ଼ିକ ଚଳିତ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ମୂଳ ବଜେଟ ଆବଣ୍ଟନର ସର୍ବନିମ୍ନ ୪୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିନଥିବେ ସେମାନଙ୍କୁ ଏହି ସପ୍ଲିମଣ୍ଟୋରୀ ବା ଅତିରିକ୍ତ ବଜେଟରେ ପୁଣିଥରେ ପାଣ୍ଠି ଆବଣ୍ଟନ କରାଯିବ ନାହିଁ ବୋଲି ଅର୍ଥ ବିଭାଗ ରୋକଠୋକ୍ ଭାବେ ଜଣାଇ ଦେଇଛି।୨୦୨୬-୨୭ ଆର୍ଥିକ ବର୍ଷର ସପ୍ଲିମେଣ୍ଟାରୀ ବଜେଟ୍ ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ ଅର୍ଥ ବିଭାଗ। ଆସନ୍ତା ଅକ୍ଟୋବର ୩୧ତାରିଖ ସୁଦ୍ଧା ନିର୍ଦ୍ଧାରିତ ଫର୍ମାଟରେ ଅନଲାଇନରେ ପ୍ରସ୍ତାବ ପଠାଇବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛି। ତେବେ ଯେଉଁ ବିଭାଗଗୁଡ଼ିକ ଚଳିତ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ମୂଳ ବଜେଟ ଆବଣ୍ଟନର ସର୍ବନିମ୍ନ ୪୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିନଥିବେ ସେମାନଙ୍କୁ ଏହି ସପ୍ଲିମଣ୍ଟୋରୀ ବା ଅତିରିକ୍ତ ବଜେଟରେ ପୁଣିଥରେ ପାଣ୍ଠି ଆବଣ୍ଟନ କରାଯିବ ନାହିଁ ବୋଲି ଅର୍ଥ ବିଭାଗ ରୋକଠୋକ୍ ଭାବେ ଜଣାଇ ଦେଇଛି। ବଜେଟ୍ ନାଁରେ ମନଇଚ୍ଛା ପାଣ୍ଠି ନେଇ ବର୍ଷ ଶେଷରେ ଏହାକୁ ସରେଣ୍ଡର କରିବାର ପୁରୁଣା ଚାଲ୍ ଆଉ ଚଳିବ ନାହିଁ ବୋଲି ଅର୍ଥ ବିଭାଗ ସ୍ପଷ୍ଟ କରିଦେଇଛି। ବିଧାନସଭାର ଶୀତ ଅଧିବେଶନରେ ଏହି ସପ୍ଲିମେଣ୍ଟାରୀ ବଜେଟ୍ ଆଗତ କରାଯିବ ବୋଲି ଅର୍ଥ ବିଭାଗ କହିଛି।ସପ୍ଲିମେଣ୍ଟାରୀ ବଜେଟ୍ ପ୍ରସ୍ତୁତି ପାଇଁ ଅର୍ଥ ସଚିବ ସଞ୍ଜିବ କୁମାର ମିଶ୍ର ବିସ୍ତୃତ ମାର୍ଗଦର୍ଶିକା ଜାରି କରି କହିଛନ୍ତି ଯେ, ଚଳିତ ଆର୍ଥକ ବର୍ଷର ପ୍ରଥମ ତ୍ରୈମାସିକରେ ଜାତୀୟ ଜିଡିପି ଅଭିବୃଦ୍ଧି ହାର ୭.୮ % ରହିଥିଲେ ହେଁ ବିଶ୍ୱସ୍ତରୀୟ ଭୂରାଜନୈତିକ ଉତ୍ତେଜନା, ଇନ୍ଧନ ମୂଲ୍ୟରେ ଅସ୍ଥିରତା ଓ ଯୋଗାଣ ଶୃଙ୍ଖଳ ବ୍ୟାହତ ହେବା ଭଳି ଆହ୍ୱାନକୁ ଦୃଷ୍ଟିରେ ରଖି ରାଜ୍ୟର ରାଜକୋଷୀୟ ନିଅଣ୍ଟକୁ ସାଢ଼େ ତିନି ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ତେଣୁ ରାଜ୍ୟର ଆର୍ଥକ ସ୍ଥିରତା ବଜାୟ ରଖିବା ସହ ଚାଲୁ ରହିଥିବା ପ୍ରକଳ୍ପ ଓ ଜୀବିକା ଯୋଜନାଗୁଡ଼ିକୁ ପୂର୍ଣ୍ଣ ଆର୍ଥକ ସହାୟତା ଯୋଗାଇବା ସହ ଅନ୍ୟାନ୍ୟ ଅଯଥା ଖର୍ଚ୍ଚ ଉପରେ କଠୋର କଟକଣା ଜାରି କରାଯାଇଛି। ଏହି ଅତିରିକ୍ତ ବଜେଟ୍( Odisha Budget) ଏକ ପୁନଃପ୍ରାଥମିକତା ପ୍ରକ୍ରିୟା ବୋଲି ସେ ସ୍ପଷ୍ଟ କରିଛନ୍ତି।

ବିଶେଷକରି ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିୟନ ଡଲାରର ଅର୍ଥନୀତିରେ ପରିଣତ କରି 'ବିକଶିତ ଓଡ଼ିଶା' ଗଠନ ତଥା ୨୦୪୭ 'ବିକଶିତ ଭାରତ' ଲକ୍ଷ୍ୟକୁ ସାକାର କରିବା ପାଇଁ ଭିତ୍ତିଭୂମି ବିକାଶ, ଗୁଣାତ୍ମକ ନିଯୁକ୍ତି ସୃଷ୍ଟି ଓ ଜୀବିକା ନିର୍ବାହ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ସର୍ବାଧିକ ଅଗ୍ରାଧିକାର ଦିଆଯାଉଛି ବୋଲି ଅର୍ଥ ବିଭାଗ କହିଛି।
ଅର୍ଥ ବିଭାଗ ନିଜ ନିର୍ଦ୍ଦେଶନାମାରେ କଠୋର ସର୍ତ୍ତ ଲାଗୁ କରି ସ୍ପଷ୍ଟ ଭାବେ କହିଛି ଯେ, ଯେଉଁସବୁ ୟୁନିଟ୍ ବା ବ୍ୟୟ ଶୀର୍ଷକରେ ସେପ୍ଟେମ୍ବର ୩୦ତାରିଖ ସୁଦ୍ଧା ମୂଳ ବଜେଟ୍ ବ୍ୟବସ୍ଥାର ୪୦ ପ୍ରତିଶତରୁ କମ୍ ଅର୍ଥ ଖର୍ଚ୍ଚ ହୋଇଥିବ, ସେହିସବୁ କ୍ଷେତ୍ରରେ କୌଣସି ଅତିରିକ୍ତ ପାଣ୍ଠି ଦାବି ପ୍ରସ୍ତାବ ସିଧାସଳଖ ଅଗ୍ରାହ୍ୟ କରାଯିବ। ବିନା ସଠିକ୍ ଆକଳନରେ ଅତିରିକ୍ତ ଅର୍ଥ ହାତେଇ ବର୍ଷ ଶେଷରେ କୋଟି କୋଟି ଟଙ୍କା ସରେଣ୍ଡର କରିବାକୁ ନେଇ ସିଏଜି ବାରମ୍ବାର ପ୍ରତିକୂଳ ଟିପ୍ପଣୀ ଦେଉଛନ୍ତି।
ତେଣୁ ରୁଟିନ୍ ମନୋଭାବ ଛାଡ଼ି ବାସ୍ତବ ଆବଶ୍ୟକତା ଓ ଖର୍ଚ୍ଚ କରିବାର କ୍ଷମତା ଆଧାରରେ ହିଁ ପ୍ରସ୍ତାବ ଦେବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ନୂଆ କାର୍ଯ୍ୟକ୍ରମ ବା ପ୍ରକଳ୍ପ ପାଇଁ ଅତିରିକ୍ତ ପାଣ୍ଠି ଦରକାର, ତେବେ ସମ୍ପୃକ୍ତ ବିଭାଗକୁ ନିଜ ବିଭାଗର ଅନ୍ୟ ଏକ କ୍ଷେତ୍ରରୁ ସମାନ ପରିମାଣର ଅଣବ୍ୟବହୃତ ବଳକା ଅର୍ଥ ସଂଚୟ ଭାବେ ଦର୍ଶାଇବାକୁ ପଡ଼ିବ, ବିନା ସଂଚୟରେ କୌଣସି ନୂଆ ପାଣ୍ଠି ପ୍ରଦାନ କରାଯିବ ନାହିଁ ବୋଲି ଅର୍ଥ ବିଭାଗ କହିଛି।

ଏପରିକି ନୂତନ ରାଜ୍ୟ ଯୋଜନା ନିମନ୍ତେ ପାଣ୍ଠି ଆବଶ୍ୟକ ହେଲେ ବ୍ୟୟ ଅର୍ଥ କମିଟି (EFC) କିମ୍ବା ଷ୍ଟାଣ୍ଡିଂ ଫାଇନାନ୍ସ କମିଟି (SFC)ର ଅନୁମୋଦନ ଓ ଅର୍ଥ ବିଭାଗର ସ୍ୱତନ୍ତ୍ର ସହମତି ନେବା ବାଧ୍ୟତାମୂଳକ କରାଯାଇଛି। ଏହାବ୍ୟତୀତ ପ୍ରଶାସନିକ ଖର୍ଚ୍ଚ ଓଆଇନଗତ ଦାୟିତ୍ୱ ପୂରଣ ପାଇଁ ମଧ୍ୟ ସ୍ପଷ୍ଟ ଗାଇଡଲାଇନ୍ ଜାରି ହୋଇଛି।

ଓଡ଼ିଶା ଆକସ୍ମିକ ପାଣ୍ଠି ବା ଓସିଏଫରୁ ଜରୁରୀ ପରିସ୍ଥିତିରେ ନିଆଯାଇଥିବା ଅଗ୍ରୀମର ବାସ୍ତବ ଖର୍ଚ୍ଚ ଭରଣା, କୋର୍ଟ ଡିକ୍ରି ଅନୁଯାୟୀ ଜମି ଅଧିଗ୍ରହଣ ବାବଦ ଖର୍ଚ୍ଚକୁ 'ଚାର୍ଜଡ୍‌' ବର୍ଗରେ ଓ ସାଧାରଣ ଜମି ଅଧିଗ୍ରହଣ ଖର୍ଚ୍ଚକୁ 'ଭୋଟେଡ୍‌' ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ କୁହାଯାଇଛି।

ଦରମା ଓ ମହଙ୍ଗା ଭତ୍ତା (ଡିଏ) ବାବଦରେ ପୂର୍ବରୁ ପର୍ଯ୍ୟାପ୍ତ ବ୍ୟବସ୍ଥା ଥିବାରୁ ନୂଆ ପଦବୀ ପୂରଣ ବିନା ଏଥିପାଇଁ ଅତିରିକ୍ତ ଦାବି କରାଯାଇ ପାରିବ ନାହିଁ, ବରଂ ବକେୟା ଥିବା ଘରଭଡ଼ା, ବିଦ୍ୟୁତ୍ ଦେୟ, ପାଣି ବିଲ୍ ଓ ପୌର ଦେୟ ପାଇଁ ଆବଶ୍ୟକୀୟ ଫରକ ଅର୍ଥ ମଗାଯାଇ ପାରିବ।

କେନ୍ଦ୍ର ପ୍ରବର୍ତ୍ତିିତ ଯୋଜନାଗୁଡ଼ିକ କ୍ଷେତ୍ରରେ ଏସଏନଏ-ସ୍ପର୍ଶ ମଡେଲ ଅନୁଯାୟୀ ଖର୍ଚ୍ଚ ହୋଇନଥିବା କେନ୍ଦ୍ରୀୟ ଅଂଶ ତୁରନ୍ତ ଫେରସ୍ତ କରିବା, ସୁଧ ଜମା କରିବା ଓ ବିଳମ୍ବିତ ହସ୍ତାନ୍ତରଜନିତ ଜୋରିମାନା ଓ ସୁଧ ପୈଠ କରିବାକୁ ଚେତାବନୀ ଦିଆଯାଇଛି, ଯାହାଫଳରେ କେନ୍ଦ୍ର ସରକାରଙ୍କ ଠାରୁ ମିଳୁଥିବା ସର୍ବାଧିକ ପ୍ରୋତ୍ସାହନ ରାଶି ରାଜ୍ୟକୁ ମିଳିପାରିବ।


ଏହି ସମସ୍ତ ପ୍ରଶାସନିକ ତଥା କାର୍ଯ୍ୟକ୍ରମ ବ୍ୟୟ ସମ୍ବନ୍ଧୀୟ ପ୍ରସ୍ତାବକୁ 'ଆଇଏଫଏମଏସ' ଓ 'ବେଟା' ଅନଲାଇନ୍ ପୋର୍ଟାଲ ଜରିଆରେ ଆସନ୍ତା ଅକ୍ଟୋବର ୩୧ ତାରିଖ ସୁଦ୍ଧା ଯୋଜନା ଓ ସଂଯୋଜନ ବିଭାଗ ସମେତ ଅର୍ଥ ବିଭାଗ ନିକଟରେ ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି। ଅକ୍ଟୋବର ୩୧ ତାରିଖ ପରେ ଅନଲାଇନ୍ ସିଷ୍ଟମ୍ ସ୍ୱତଃ ବନ୍ଦ ହୋଇଯିବ ଓ ତା’ପରେ କୌଣସି ବିଭାଗର ପ୍ରସ୍ତାବ ଆଦୌ ଗ୍ରହଣ କରାଯିବ ନାହିଁ ବୋଲି ଅର୍ଥ ସଚିବ ଶ୍ରୀ ମିଶ୍ର ସମସ୍ତ ବିଭାଗର ସଚିବଙ୍କୁ ଚିଠି ଲେଖି ସ୍ପଷ୍ଟ କରିଛନ୍ତି।
📲Get App