🔥 TRENDING மரத்தின் மீது ஏறி போதை ஆசாமியை மீட்ட த... ग्वालियर में अवैध खनन पर प्रशासन का शि... महात्मा गांधी जयंती पर आगरा में स्वच्छ... Tom Cruise’s ‘Digger’ Opens Slowly in... Nani's 'The Paradise' Nets ₹2.80 Crore... Ajay Devgn’s Drishyam Faces Box‑Office...
03 Oct 2026•
ગુજરાતી मराठी ਪੰਜਾਬੀ বাংলা
CAG ରିପୋର୍ଟ: ୨ ଖଣି ମାଲିକଙ୍କୁ ଅହେତୁକ ଅନୁକମ୍ପା, ୧୪୮ କୋଟି ଟଙ୍କାର ରାଜସ୍ୱ କ୍ଷତି
Crime

CAG ରିପୋର୍ଟ: ୨ ଖଣି ମାଲିକଙ୍କୁ ଅହେତୁକ ଅନୁକମ୍ପା, ୧୪୮ କୋଟି ଟଙ୍କାର ରାଜସ୍ୱ କ୍ଷତି

✍️ Reporter: Deepak Mahapatra 🗓 03 Oct 2026, 12:40 PM 👁 13
Share: 💬 WhatsApp 📘 Facebook 𝕏 Post

କେନ୍ଦୁଝର ଓ ଯାଜପୁର ଜିଲ୍ଲାର ୨ଟି ପ୍ରମୁଖ ଖଣିରେ ବ୍ୟାପକ ଭାବେ ଉତ୍ପାଦନ ବଢ଼ାଯାଇଥିଲେ ହେଁ ରେଜିଷ୍ଟ୍ରେସନ କର୍ତ୍ତୃପକ୍ଷ ଉଦ୍ଦେଶ୍ୟମୂଳକ ଭାବେ ନିୟମକୁ ଜଳାଞ୍ଜଳି ଦେଇ ଏହି ଫି' ଧାର୍ଯ୍ୟ କିମ୍ବା ଆଦାୟ କଲେ ନାହିଁ। ଫଳରେ ରାଜ୍ୟ ସରକାର ପ୍ରାୟ ୧୪୮.୪୧ କୋଟି ଟଙ୍କାର ରାଜସ୍ୱ ପାଇବାରୁ ବଂଚିତ ହେଲେ।

ରାଜ୍ୟରେ ଖଣି ଉତ୍ପାଦନ ବୃଦ୍ଧି ପାଇବା ସତ୍ତ୍ୱେ ରାଜସ୍ୱ ଆଦାୟରେ ଅଫିସରମାନଙ୍କ ରହସ୍ୟଜନକ ନୀରବତା ଯୋଗୁଁ ରାଜକୋଷକୁ ଶହ ଶହ କୋଟି ଟଙ୍କାର କ୍ଷତି ହୋଇଛି। କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ଖଣି ଉତ୍ପାଦନ କ୍ଷମତା ଆଖିବୁଜା ବଢ଼ିଥିଲେ ମଧ୍ୟ ସେହି ଅନୁପାତରେ ବାଧ୍ୟତାମୂଳକ ଷ୍ଟାମ୍ପ ଡ୍ୟୁଟି ଓ ପଞ୍ଜିକରଣ ଫି’ ଆଦାୟ ନହେବାରୁ ରାଜ୍ୟ ସରକାରଙ୍କୁ କେବଳ ୨ଟି ଖଣି ଲିଜ୍ ବାବଦରେ ପ୍ରାୟ ୧୪୮ କୋଟି ୪୧ ଲକ୍ଷ ଟଙ୍କାର ରାଜସ୍ୱ କ୍ଷତି ସହିବାକୁ ପଡ଼ିଛି। ସିଏଜିଙ୍କ ସଦ୍ୟତମ ଅଡିଟ୍ ରିପୋର୍ଟରେ ଏହି ସାଂଘାତିକ ଅନିୟମିତତା ପଦାକୁ ଆସିଛି।

ସିଏଜିଙ୍କ ଅଡିଟ୍ ରିପୋର୍ଟରେ କୁହାଯାଇଛି ଯେ, ଖଣି ନିୟମ ଅନୁସାରେ ଉତ୍ପାଦନ ପରିମାଣ ବଢ଼ିଲେ ବର୍ଦ୍ଧିତ କ୍ଷମତା ଉପରେ ପାର୍ଥକ୍ୟ ଷ୍ଟାମ୍ପ ଡ୍ୟୁଟି ଓ ପଞ୍ଜିକରଣ ଫି’ ଲାଗୁ ହେବା ସମ୍ପୂର୍ଣ୍ଣ ବାଧ୍ୟତାମୂଳକ। ମାତ୍ର କେନ୍ଦୁଝର ଓ ଯାଜପୁର ଜିଲ୍ଲାର ୨ଟି ପ୍ରମୁଖ ଖଣିରେ ବ୍ୟାପକ ଭାବେ ଉତ୍ପାଦନ ବଢ଼ାଯାଇଥିଲେ ହେଁ ରେଜିଷ୍ଟ୍ରେସନ କର୍ତ୍ତୃପକ୍ଷ ଉଦ୍ଦେଶ୍ୟମୂଳକ ଭାବେ ନିୟମକୁ ଜଳାଞ୍ଜଳି ଦେଇ ଏହି ଫି' ଧାର୍ଯ୍ୟ କିମ୍ବା ଆଦାୟ କଲେ ନାହିଁ। ଫଳରେ ରାଜ୍ୟ ସରକାର ପ୍ରାୟ ୧୪୮.୪୧ କୋଟି ଟଙ୍କାର ରାଜସ୍ୱ ପାଇବାରୁ ବଂଚିତ ହେଲେ।

ସିଏଜି ତାଙ୍କ ଅଡିଟ୍ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଇଣ୍ଡିଆନ୍ ଷ୍ଟାମ୍ପ ଆକ୍ଟ ଓ ଖଣି ନିୟମାବଳୀ ଅନୁଯାୟୀ ଯଦି କୌଣସି ଖଣି ଲିଜଧାରୀ ନିଜର ମାଇନିଂ ପ୍ଲାନ ସଂଶୋଧନ କରି ବାର୍ଷିକ ଉତ୍ପାଦନ କ୍ଷମତା ବୃଦ୍ଧି କରନ୍ତି, ତାଙ୍କଠାରୁ ବର୍ଦ୍ଧିତ ଉତ୍ପାଦନ ପରିମାଣ ଉପରେ ପାର୍ଥକ୍ୟ ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ ଫି’ ସରକାରଙ୍କ ପକ୍ଷରୁ ଆଦାୟ ହେବା ସମ୍ପୂର୍ଣ୍ଣ ଆଇନଗତ ଭାବେ ବାଧ୍ୟତାମୂଳକ। ମାତ୍ର କେନ୍ଦୁଝର ଓ ଯାଜପୁର ଉପଖଣି ନିର୍ଦ୍ଦେଶକଙ୍କ ଅଧୀନରେ ଥିବା ୨ ପ୍ରମୁଖ ଖଣି ଯଥା ନୂଆଗାଁ ଲୁହାପଥର ଖଣି ଓ କାଳିଆପାଣି କ୍ରୋମାଇଟ୍ ଖଣିରେ ଉତ୍ପାଦନ ପରିମାଣ ବହୁଗୁଣିତ ହୋଇଥିଲେ ବି ଡିଫରେନ୍ସିଆଲ୍ ଷ୍ଟାମ୍ପ ଡ୍ୟୁଟି ଓ ଫି’ ଧାର୍ଯ୍ୟ କରାଗଲା ନାହିଁ।

କେନ୍ଦୁଝର ଜିଲ୍ଲାର ନୂଆଗାଁ ଲୁହାପଥର ବ୍ଲକକୁ ଜେଏସଡବ୍ଲ୍ୟୁ ଷ୍ଟିଲ୍ ଲିମିଟେଡ୍ ୫୦ ବର୍ଷିଆ ଲିଜ୍ ସୂତ୍ରରେ ନେଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଖଣିର ବାର୍ଷିକ ସର୍ବୋଚ୍ଚ ଉତ୍ପାଦନ କ୍ଷମତା ୭୫ ଲକ୍ଷ ୯୦ ହଜାର ୨୫୮ ମେଟ୍ରିକ ଟନ୍ ଧାର୍ଯ୍ୟ ରହିଥିଲା। ମାତ୍ର କମ୍ପାନୀ ନିଜର ମାଇନିଂ ପ୍ଲାନ୍ ସଂଶୋଧନ କରି ୨୦୨୪-୨୫ ଆର୍ôଥକ ବର୍ଷରେ ଏହାକୁ ଏକାଥରକେ ସିଧାସଳଖ ୨କୋଟି ମେଟ୍ରିକ ଟନକୁ ବୃଦ୍ଧି କରି ନେଇଥିଲା। ଅର୍ଥାତ୍ ବାର୍ଷିକ ଉତ୍ପାଦନରେ ଅଚାନକ ୧ କୋଟି ୨୪ ଲକ୍ଷ ୯ହଜାର ୭୪୨ ମେଟ୍ରିକ ଟନର ବିରାଟ ବୃଦ୍ଧି ଘଟିଛି।

ଏହି ବର୍ଦ୍ଧିତ ବାର୍ଷିକ ପ୍ରାୟ ୧.୨୪ଲକ୍ଷ ଟନ୍ ଉତ୍ପାଦନ ବାବଦକୁ ସରକାରଙ୍କୁ ମୋଟ ୨୨୮.୮୭କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଓ ପଞ୍ଜିକରଣ ଫି’ ମିଳିବା କଥା। ମାତ୍ର କେଉଁଝର ଜିଲ୍ଲା ରେଜିଷ୍ଟ୍ରାର ପୂର୍ବରୁ ଜମା ହୋଇଥିବା ମାତ୍ର ୮୧.୧୧କୋଟି ଟଙ୍କାକୁ ଧରି ବସି ରହିଲେ। ଅବଶିଷ୍ଟ ୧୪୭.୭୬କୋଟି ଟଙ୍କାର ପାର୍ଥକ୍ୟ ଶୁଳ୍କ ଆଦାୟ ତ ଦୂରର କଥା କମ୍ପାନୀ ଉପରେ ଧାର୍ଯ୍ୟ ମଧ୍ୟ କଲେନି ବୋଲି ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।
କେବଳ ଜେଏସଡବ୍ଲ୍ୟୁ ନୁହେଁ, ଅଡିଟ୍ ରିପୋର୍ଟରେ ଅନ୍ୟ ଦୁଇଟି ଖଣିରୁ ରାଜସ୍ୱ ହାନି ମଧ୍ୟ ପଦାକୁ ଆସିଛି। ଯାଜପୁର ଉପଖଣି ନିର୍ଦ୍ଦେଶାଳୟ ଅଧୀନସ୍ଥ କାଳିଆପାଣି କ୍ରୋମାଇଟ୍ ଖଣିରେ ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍ ୨୦୨୨ ଏପ୍ରିଲ ପହିଲାରୁ ନିଜର ୩୦ ବର୍ଷିଆ ଲିଜ୍ ଉତ୍ପାଦନକୁ ୨ଲକ୍ଷ ୩ ହଜାର ୮୬୦ ମେଟ୍ରିକ ଟନରୁ ୨ ଲକ୍ଷ ୧୫ ହଜାର ମେଟ୍ରିକ ଟନକୁ ବୃଦ୍ଧି କରିଥିଲା। ଟନ୍ ପିଛା ୨୭୯୭ ଟଙ୍କା ରୟାଲଟି ହାରରେ ଏହି ବର୍ଦ୍ଧିତ ୧୧୧୪୦ ମେଟ୍ରିକ ଟନ୍ ଉପରେ ଲାଗୁ ହେବାକୁ ଥିବା ୬୫ଲକ୍ଷ ଟଙ୍କାର ଶୁଳ୍କ ମଧ୍ୟ ଆଦାୟ ହେଲାନାହିଁ।

ସେହିପରି ସରକାରୀ କମ୍ପାନୀ ଓଏମସି ଅଧୀନରେ ଥିବା କେନ୍ଦୁଝରର ଗନ୍ଧମାର୍ଦ୍ଦନ ଲୁହାପଥର ଖଣି ବ୍ଲକ-ବି’ର ୨୦ବର୍ଷିଆ ଲିଜ୍ ପରିସରରେ ୨୦୨୨-୨୩ ବର୍ଷରେ ଉତ୍ପାଦନ ୯୧ ଲକ୍ଷ ୧୫ ହଜାର ୬୮୦ ମେଟ୍ରିକ ଟନରୁ ବୃଦ୍ଧି ପାଇ ୯୧ ଲକ୍ଷ ୨୦ ହଜାର ମେଟ୍ରିକ ଟନ୍ ହୋଇଥିଲା। ଏହି ବର୍ଦ୍ଧିତ ୪୩୨୦ ମେଟ୍ରିକ ଟନ୍ ପାଇଁ ଟନ୍ ପିଛା ୮୨୯ ଟଙ୍କା ରୟାଲଟି ହିସାବରେ ସରକାରଙ୍କୁ ୫ ଲକ୍ଷ ଟଙ୍କା ଷ୍ଟାମ୍ପ ଡ୍ୟୁଟି ଓ ଫି’ ମିଳିବା କଥା, କିନ୍ତୁ ପ୍ରଶାସନ ତାହାକୁ ଶୂନ କରି ରଖିଲା।

ଏହି ତିନୋଟି ଖଣିକୁ ମିଶାଇ ମୋଟ୍ ୧ କୋଟି ୨୪ ଲକ୍ଷ ୨୫ ହଜାର ୨୦୨ ମେଟ୍ରିକ ଟନ୍ ଖଣି ଉତ୍ପାଦନ ବଢ଼ିବା ସତ୍ତ୍ୱେ ପ୍ରଶାସନର ଚରମ ଅବହେଳା ଯୋଗୁଁ ରାଜ୍ୟ ସରକାରଙ୍କୁ ମୋଟ ୧୪୮ କୋଟି ୪୬ ଲକ୍ଷ ଟଙ୍କାର ରାଜସ୍ୱ ହରାଇବାକୁ ପଡ଼ିଛି। ସିଏଜି ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ତଥା ଜିଲ୍ଲା ଉପ-ନିବନ୍ଧକଙ୍କ ମଧ୍ୟରେ ସମନ୍ୱୟର ଚରମ ଅଭାବ ତଥା ଖଣି କମ୍ପାନୀଗୁଡ଼ିକ ପ୍ରତି ଅହେତୁକ ଅନୁକମ୍ପା ଯୋଗୁଁ ଏହି ବିଶାଳ ରାଜସ୍ୱ କ୍ଷତି ଘଟିଛି।

ଏହି ଅନାଦେୟ ରାଜସ୍ୱ ଉପରେ ସିଏଜି ଆପତ୍ତି ଉଠାଇ ନିୟମ ଅନୁସାରେ ଉପଯୁକ୍ତ ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ ଫି’ ଧାର୍ଯ୍ୟ କରିବା ସହ ବକେୟା ଅର୍ଥ ରାଜକୋଷକୁ ଆଦାୟ କରିବା ଏବଂ ଭବିଷ୍ୟତରେ ଏଭଳି ରାଜସ୍ୱ କ୍ଷତି ରୋକିବା ପାଇଁ ପଞ୍ଜିକରଣ କର୍ତ୍ତୃପକ୍ଷ ତଥା ଖଣି ବିଭାଗ ନିୟମିତ ସମୀକ୍ଷା କରିବାକୁ ଅଡିଟ୍ ରିପୋର୍ଟରେ ଦର୍ଶାଯାଇଛି।
📲Get App